କାର୍ଯ୍ୟାଦେଶ ମିଳିଛି, ଟଙ୍କା ମିଳୁନି: ସ୍ଲାବ ପାଇଁ ଟଙ୍କା ନାହିଁ; ଭଙ୍ଗା ଘର ଭରସା

ନୂଆପଡା ଅଫିସ,୧୫ା୮ : ସରକାର କାହାରିକୁ ଖପର ଘରେ ରହିବାକୁ ଦେବେ ନାହିଁ ବୋଲି ହଜାର ହଜାର ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେଉଛନ୍ତି । ହେଲେ ସେଗୁଡିକର ପରିଚାଳନା ବ୍ୟବସ୍ଥା ଢିଲା ପଡିଥିବା ଯୋଗୁ ଥିଲାବାଲା ଲୋକ ଶୀଘ୍ର ଏଥିରୁ ଫାଇଦା ନେଉଥିବାବେଳେ ଗରିବ ଲୋକଙ୍କୁ କେବଳ କାର୍ଯ୍ୟାଦେଶ ମିଳିଯାଉଛି, ବାକି ଟଙ୍କା ପ୍ରଦାନରେ ଜାଣିଶୁଣି ଅବହେଳା କରାଯାଉଛି । ଫଳରେ ଗରିବ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ପଲସିପାଣି ଗାଁର ଅରକ୍ଷିତ ସୁନାନୀ (୩୨) ନାମକ ଜଣେ ବ୍ୟକ୍ତିଙ୍କ କୁଡିଆର ଘର ଭାଙ୍ଗିଯିବା ପରେ ଅର୍ଦ୍ଧ ଭଗ୍ନ ଘରେ ରହୁଥିଲେ। ଏହାକୁ ଦେଖି ତାଙ୍କୁ ଗତ ୨୦୧୭-୧୮ ଆର୍ଥତ୍କ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସକାଶେ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଅରକ୍ଷିତଙ୍କୁ ପ୍ରଥମ କିସ୍ତିରେ ମାତ୍ର ୨୦ ହଜାର ଟଙ୍କା ପ୍ରଦାନ କରାଗଲା । ପରେ ସେ ନିଜ ଘରର ସମସ୍ତ ଆସବାବ ବିକ୍ରି କରି ଘର ନିର୍ମାଣରେ ଲାଗିଗଲେ । ହେଲେ ବାକି ଟଙ୍କା ମିଳିଲା ନାହିଁ । ବର୍ତ୍ତମାନ ସ୍ଲାବ ପର୍ଯ୍ୟନ୍ତ କାମ ଯାଇ ଅଟକି ଯାଇଛି । ସ୍ଲାବ ପାଇଁ ବାକି ୪୫ହ ଜାର ଟଙ୍କା ମିଳିବା କଥା । ହେଲେ ତାହା ଦିଆଯାଉନାହିଁ । ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିବାରୁ ଭାଙ୍ଗି ପଡିଛନ୍ତି । ଘରେ ଏବେ ଖାଇବାକୁ କିଛି ନ ଥିବାବେଳେ ବାଧ୍ୟ ହୋଇ ଭଙ୍ଗା ଘରେ ସ୍ତ୍ରୀ ପତରଙ୍ଗୀ, ପୁଅ ନରେନ୍ଦ୍ର, ଝିଅ ରଶ୍ମିତା ରହୁଥିବା ଅରକ୍ଷିତ ପ୍ରକାଶ କରିଛନ୍ତି । ଏହା ଉପରେ ଜିଲା କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।