କାର୍ଯ୍ୟରେ ଅବହେଳା: ବଦଳିଲେ ଫାଣ୍ଡି ଅଧିକାରୀ

କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଦଳିଛନ୍ତି ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ। ଏସ୍‌ପି ଅନୁପମା ଜେମ୍‌ସଙ୍କ ନିର୍ଦ୍ଦେଶରେ ତାଙ୍କୁ ପରଜଙ୍ଗ ଥାନାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପରଜଙ୍ଗ ଥାନା ଏସ୍‌ଆଇ ପଦ୍ମନାଭ ଲେଙ୍କାଙ୍କୁ ଦାୟିତ୍ୱ ଦିଆଯାଇଛି।
ଏ ନେଇ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ କୁହନ୍ତି, ପଙ୍ଗାତୀରା ଗ୍ରାମରେ ଗତ ୬ ତାରିଖରେ ସ୍ବାମୀ ଲଳିତ ସାହୁ ଟାଙ୍ଗିଆରେ ହାଣି ସ୍ତ୍ରୀ ମିତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ପୂର୍ବଦିନ ମିତାଙ୍କ ପରିବାର ଲୋକେ ଲଳିତଙ୍କ ନାମରେ ଅଭିଯୋଗ କରିବାକୁ ଫାଣ୍ଡିକୁ ଯାଇଥିଲେ। ହେଲେ ଫାଣ୍ଡି ଅଧିକାରୀ ଏହାକୁ ହାଲ୍‌କା ଭାବରେ ନେଇଥିଲେ। ଏହା ପରଦିନ ମିତା ହତ୍ୟାର ଶିକାର ହୋଇଥିଲେ। ପୋଲିସର ଅବହେଳା ପାଇଁ ଝିଅ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜନସାଧାରଣଙ୍କୁ ନ୍ୟାୟ ଦେବା ପୋଲିସର କାମ। ଏସ୍‌ପିଙ୍କ ନିର୍ଦ୍ଦେଶରେ ଏପରି ନିଷ୍ପତ୍ତି ନିଆଯାଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।