କାର୍ବନ ନିର୍ଗମନ ୧୭% କମିଛି

ନୂଆଦିଲ୍ଲୀ,୨୧ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନରେ ରହିଥିବାରୁ ଏହାର ସୁଫଳ ପରିବେଶ ଉପରେ ପଡ଼ିଛି। ଏହା ପ୍ରଭାବରେ ଏପ୍ରିଲରେ ବିଶ୍ୱ ସ୍ତରରେ କାର୍ବନ ନିର୍ଗମନ ୧୭ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ଭାରତରେ କାର୍ବନ ନିର୍ଗମନ ୨୬ ପ୍ରତିଶତ ହ୍ରାସ ପାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ବ୍ରିଟେନର ନ୍ୟାଶନାଲ କ୍ଲାଇମେଟ ଚେଞ୍ଜ୍‌ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ସାରା ବିଶ୍ୱରେ କାର୍ବନ ନିର୍ଗମନ ଗତବର୍ଷ ଏହି ସମୟ ତୁଳନାରେ ଯଥେଷ୍ଟ ହ୍ରାସ ପାଇଥିବାବେଳେ ବର୍ଷ ଶେଷ ବେଳକୁ ଏହା ୪.୪ରୁ ୮ ପ୍ରତିଶତ ହ୍ରାସ ପାଇପାରେ ବୋଲି ଆକଳନ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସର୍ବାଧିକ ବାର୍ଷିକ କାର୍ବନ ନିର୍ଗମନ ହ୍ରାସ ବୋଲି ଗବେଷକମାନେ ମତ ଦେଇଛନ୍ତି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଆମେରିକାରେ ଗତ ମାସରେ କାର୍ବନ ନିର୍ଗମନ ୩୧.୬ ପ୍ରତିଶତ ହ୍ରାସ ପାଇଥିବାବେଳେ ବ୍ରିଟେନରେ ୩୦.୭ ଏବଂ ଚାଇନାରେ ୨୩.୯ ପ୍ରତିଶତ ହ୍ରାସ ପାଇଥିବା ଅଧ୍ୟୟନରୁ ଜଣାପଡିଛି।
କୋଭିଡ୍‌-୧୯ ଜନିତ ଲକ୍‌ଡାଉନବେଳେ ଏପ୍ରିଲ ୭ରେ ବିଶ୍ୱସ୍ତରରେ ଦୈନିକ ନିର୍ଗମନ ୧୭ ପ୍ରତିଶତ ବା ୧୭ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ହ୍ରାସ ପାଇଥିଲା। ଏହି ହ୍ରାସ ପାଇବାର ସବୁଠୁ ବଡ଼ କାରଣ ହେଲା ପରିବହନ ସେବା ବନ୍ଦ। ସଡ଼କ ପରିବହନ ହ୍ରାସ ଯୋଗୁ ୪୩ ପ୍ରତିଶତ ଅଙ୍ଗାରକାମ୍ଳ କମିଥିବାବେଳେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଯୋଗୁ ୧୯ ପ୍ରତିଶତ, ଶିଳ୍ପ ପାଇଁ ୨୫ ଓ ବିମାନ ଚଳାଚଳ ବନ୍ଦ ପାଇଁ ୧୦ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି। ଫଳରେ ବର୍ଷ ଶେଷ ବେଳକୁ ବିଶ୍ୱରେ ନିର୍ଗମନ ପରିମାଣ ୪ରୁ ୭ ପ୍ରତିଶତ ହ୍ରାସ ପାଇବା ଆକଳନ କରାଯାଇଛି। ତେବେ ଗୋଟିଏ ବର୍ଷ ନିର୍ଗମନ କମିଗଲେ ଜଳବାୟୁ ପରିବର୍ତ୍ତନରେ ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ଦୀର୍ଘ ବର୍ଷ ଧରି ଯେତିକି କାର୍ବନ ନିର୍ଗମନ ହୋଇଛି, ତାହା ତୁଳନାରେ ଏହା ଯଥେଷ୍ଟ କମ୍‌। ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦେଶର ସରକାର ଆଣୁଥିବା ଆର୍ଥତ୍କ ପ୍ୟାକେଜ୍‌ ଭବିଷ୍ୟତରେ କାର୍ବନ ନିର୍ଗମନ ଯେପରି ନ ବଢ଼ାଏ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।

Share