କାର୍ଡ ଥାଇ ମିଳୁନି ରାଶନ ସାମଗ୍ରୀ

ପାତ୍ରପୁର,୧୭ା୪(ଡି.ଏନ୍‌.ଏ.)- ରାଶନ କାର୍ଡ଼ ଥାଇ ମଧ୍ୟ ହିତାଧିକାରୀଙ୍କୁ ସହାୟତା କିମ୍ବା ସାମଗ୍ରୀ ମିଳୁନାହିଁ। ଏଭଳି ଘଟଣା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପଦାଦିଗି ପଞ୍ଚାୟତ କେଲୁଆ ଗ୍ରାମରେ। ବୃଦ୍ଧା ଜଣକ ହେଲେ ଉକ୍ତ ଗ୍ରାମର ତିଳ ବେହେରା (୭୪)। ସ୍ବାମୀଙ୍କ ମୃତ୍ୟୁପରେ ତିନି ଝିଅକୁ ନେଇ ସେ ଗ୍ରାମରେ ରୁହନ୍ତି। ରାଶନ ସାମଗ୍ରୀ ଯାହା ପାଉଥିଲେ ଦୁଃଖେକଷ୍ଟେ ଚଳିଯାଉଥିଲେ। ଲକ୍‌ଡାଉନ ଭଳି ଘଡିସନ୍ଧି ମୁହୁର୍ତ୍ତରେ ହିତାଧିକାରୀ ତାଲିକାରୁ କୌଣସି କାରଣରୁ ତାଙ୍କ ନାମ କାଟିଦିଆଯାଇଛି। ଚାଉଳ ପାଇଁ ଯିବାବେଳେ ଯୋଗାଣ ସହାୟକ ତାଲିକାରୁ ନଁା କଟିଯାଇଥିବା କହି ତିଳଙ୍କୁ ଫେରାଇଦେଇଥିଲେ। ଶେଷରେ ନିରୁପାୟ ହୋଇ ବୃଦ୍ଧା ଜଣକ ଗୁରୁବାର ପାତ୍ରପୁର ବିଡ଼ିଓଙ୍କ ଦ୍ୱାରାସ୍ତ ହୋଇଛନ୍ତି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସେ ବିଡିଓଙ୍କୁ ନିବେଦନ କରିଛନ୍ତି।