କାମ ଚାଲିଥିବାବେଳେ ଦବିଗଲା ସୁକତେଲ ବ୍ରିଜ, ୨ ଶ୍ରମିକଙ୍କ ଜୀବନ ଗଲା

ପାଟଣାଗଡ, ୨୯।୪ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅଧୀନ ଟମିଆ ଗାଁ ନିକଟରେ ଥିବା ସୁକତେଲ ବ୍ରିଜ ବୁଧବାର ସକାଳ ୯ଟାରେ କାମ ଚାଲିଥିବାବେଳେ ଦବି ଯାଇଛି। ବ୍ରିଜ ତଳେ ୨ଜଣ ଶ୍ରମିକ ଚାପି ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଉଦ୍ଧାରକରି ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଏହି ବ୍ରିଜ ୨୦୧୫ରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ତିଆରି ହୋଇଥିଲା। ନିର୍ମାଣ ସମୟରେ ସ୍ଥାନୀୟ ଗ୍ରାମବାସୀ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଶୁଣି ନ ଥିଲେ। ଗତ ମାର୍ଚ୍ଚରେ ଏହି ବ୍ରିଜ ଦବି ଯାଇଥିଲା। ଏଣୁ ପୁଣି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବର୍ତ୍ତମାନ ବ୍ରିଜ କାର୍ଯ୍ୟ ଚାଲିଥିଲା।