କାଠ ବୋଝେଇ ଗାଡ଼ି ଜବତ : ୨ ଗିରଫ

ବାଙ୍ଗିରିପୋଷ,୪ା୧୦(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଶୀର୍ଷା ବିଟର ଜାଲଦା ଛକଠାରେ ବନ ବିଭାଗ କର୍ମଚାରୀମାନେ ଏକ କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ କରିଛନ୍ତି। ଏହି ଭ୍ୟାନରେ ଚୋରା କାଠ ଗଣ୍ଡି ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଜାଲଦା ଛକ ଠାରେ ବନ ବିଭାଗ ଜଗି ରହିଥିଲେ ା ବନାଞ୍ଚଳ ଅଧିକାରୀ ତପନ କୁମାର ଦାସଙ୍କ ନେତୃତ୍ୱରେ ଚାଲାଣ ହେଉଥିବା ଭ୍ୟାନକୁ ଜବତ କରାଯିବା ସହ ଏଥିରେ ଥିବା ଦୁଇଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ବାରୁଣାବେଳା ଗ୍ରାମର କୃଷ୍ଣଚନ୍ଦ୍ର ଚୌଧୁରୀ ଓ କପାଡିହା ଗ୍ରାମର ବୈକୁଣ୍ଠନାଥ ପାତ୍ର। ଜବତ କାଠଗଣ୍ଡିର ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ଏଥିନେଇ ବନବିଭାଗ ପକ୍ଷରୁ ଏକ ମାମଲା (ନଂ. ୮୨/୧୯) ରୁଜୁ ହୋଇଛି।