Categories: ଗଞ୍ଜାମ

କାଜୁ ଫ୍ୟାକ୍ଟ୍ରି, ପେଟ୍ରୋଲ ପମ୍ପ୍‌, ଦୋକାନରେ ଯାଞ୍ଚ: ଜରିମାନା ଆଦାୟ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଛତ୍ରପୁର ଏନ୍‌ଏସି ରେ ଥିବା ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପ ଓ କାଜୁ ଫ୍ୟାକ୍ଟ୍ରିରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ଟ୍ରେଡ୍‌ ଲାଇସେନ୍ସ, ମାପ ଓ ଓଜନ ଠିକ୍‌ ନ ଥିବା ଏବଂ ପଲିଥିନ ଯାଞ୍ଚ କରାଯାଇ ଜରିମାନା ଆଦାୟ ହୋଇଛି। ଷ୍ଟେଶନ ରୋଡ୍‌ରେ ଥିବା ଆଚାର୍ଯ୍ୟ ମିକ୍ସର ଫ୍ୟାକ୍ଟିରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ କାରିଣି ସାହି ନିକଟରେ ଥିବା ମହେନ୍ଦ୍ର ସାହୁ ମିକ୍ସର ଫ୍ୟାକ୍ଟ୍ରି ଓ ହୋଲସେଲ୍‌ରୁ ପଲିଥିନ ଜବତ ହୋଇଥିଲା ା ଏନ୍‌ଏସି ପକ୍ଷରୁ ୨୦ ହଜାର ଟଙ୍କା ଏବଂ ମାପ ଓ ଓଜନ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ସ୍ଥାନୀୟ ଷ୍ଟେଶନ ରୋଡ୍‌ରେ ଥିବା ଶ୍ୟାମ ଏଜେନ୍ସିର ଟ୍ରେଡ୍‌ ଲାଇସେନ୍ସ ନ ଥିବାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ା ସେହିପରି ଗଣେଶ ପଣ୍ଡା ମିକ୍ସର ଫ୍ୟାକ୍ଟ୍ରି ର ଯାଞ୍ଚ କରାଯାଇ ମାପ ଓ ଓଜନ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ଆଦାୟ ହୋଇଥିଲା ା ପରେ ରେଲୱେ ଷ୍ଟେଶନ ନିକଟରେ ଥିବା କନକଦୁର୍ଗା କାଜୁ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ୍‌ର ଟ୍ରେଡ୍‌ ଲାଇସେନ୍ସ ନ ଥିବାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି ା ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଭାରପ୍ରାପ୍ତ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ରାଜସ୍ବ ନିରୀକ୍ଷକ ଏନ୍‌. ରବି ପ୍ରଧାନ, ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ, ବରିଷ୍ଠ ନିରୀକ୍ଷିକା ସାବିତ୍ରୀ ପଣ୍ଡା, ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ନିଖିଲ କୁମାର ବସ୍ତିଆଙ୍କ ସମେତ ଏନ୍‌ଏସି କାର୍ଯ୍ୟାଳୟର କର୍ମଚାରୀ ଯାଞ୍ଚ କରିଥିଲେ।