କାଗଜକଲମରେ ସୀମିତ ଶୌଚାଳୟ ନିର୍ମାଣ

ନୟାଗଡ଼ ଅଫିସ,୧୯।୧୧- ମଙ୍ଗଳବାର ବିଶ୍ୱ ଶୌଚାଳୟ (ପାଇଖାନା) ଦିବସ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଲିଭିଂ ନୋ ୱାନ୍‌ ବିହାଇଣ୍ଡ’। କେହି ଯେମିତି ଶୌଚାଳୟରୁ ବଞ୍ଚତ୍ତ ରହିବେ ନାହିଁ ସେହି ଲକ୍ଷ୍ୟରେ ଜିଲାର ସମସ୍ତଙ୍କ ଘରେ ଶୌଚାଳୟ ଥିବା ନେଇ ନିର୍ଦ୍ଦେଶ ରହିଛି। କିନ୍ତୁ ତାହା ବାସ୍ତବରେ କାର୍ଯ୍ୟକାରୀ ନ ହୋଇ କାଗଜକଲମରେ ଦର୍ଶାଯାଇଛି। କେଉଁଠି ଶୌଚାଳୟ ହୋଇଥିବା ବେଳେ ତାହାର ବିଲ୍‌ ହୋଇନାହିଁ ତ ଆଉ କେଉଁଠି ଟଙ୍କା ଲୋଭରେ ତରବରିଆ ଭାବେ ପାଇଖାନା ଘର ହୋଇଛି। କିନ୍ତୁ ଭିତରେ ଶୌଚ ପାଇଁ ପ୍ୟାନ୍‌ ନାହିଁ। ଏପରି କି କେତେକ ସ୍ଥାନରେ ବିଲ୍‌ ଉଠାଇବା ପାଇଁ କେବଳ ନାମକୁ ମାତ୍ର ଶୌଚାଳୟ ହୋଇଥିବା ଦେଖିବାକୁ ମିଳିଛି।
ବିଭିନ୍ନ ପଞ୍ଚାୟତରେ ହିତାଧିକାରୀମାନଙ୍କର ଶୌଚାଳୟ ହୋଇଥିବା ବେଳେ ତା’ର ମଳଟାଙ୍କି ହୋଇନାହିଁ। ଯେଉଁ ସ୍ଥାନରେ ଟାଙ୍କି ହୋଇଛି ତାହା କେବଳ ଲୋକଦେଖାଣିଆ। ସେହିଭଳି ନୂଆଗାଁ ବ୍ଳକର ଅନେକ ପଞ୍ଚାୟତର ହିତାଧିକାରୀ ୨୦୧୪-୧୫ ଆର୍ଥିକ ବର୍ଷରେ ଶୌଚାଳୟ ନିର୍ମାଣ କରିଥିବା ବେଳେ ତାହାର ଟାଙ୍କି ନ ଥିବା ଦେଖିବାକୁ ମିଳିଛି। ନୟାଗଡ଼ ବ୍ଲକର ଅନେକ ସ୍ଥାନରେ ଧାନବିଲ ମଝିରେ ଶୌଚାଳୟ ହୋଇଥିବା ଦେଖିବାକୁ ମିଳିଛି। ଟଙ୍କା ପାଇବା ପାଇଁ କିଛି ଇଟା ଥୋଇ ଉପରେ ଟିଣ ପକାଇ ରଙ୍ଗକରି ଶୌଚାଳୟ ନିର୍ମାଣ କରିଦେଇଛନ୍ତି। ଫଳରେ ଯେଉଁ ଲକ୍ଷ୍ୟ ରଖି ସରକାର ଶୌଚାଳୟ ନିର୍ମାଣ ପାଇଁ ସହାୟତା ରାଶି ଦେଇଥିଲେ ତାହା ବାଟମାରଣା ହୋଇଥିବା ଜଣାପଡିଛି। ଜିଲାର ୮ଟି ବ୍ଳକରେ ଏହିଭଳି ଅବ୍ୟବସ୍ଥା। ବିଭାଗ କିନ୍ତୁ ଅନିୟମିତତା ହୋଇଥିବାକୁ ସ୍ବୀକାର କରୁନାହିଁ। ଜିଲାରେ ଯେତିକି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା ତାହା ପୂରଣ ହୋଇଥିବା ସୂଚନା ଦିଆଯାଇଛି। ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଟଙ୍କା ପାଇବା ପାଇଁ ନାମକୁ ମାତ୍ର ଶୌଚାଳୟ କରାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ପୂର୍ବପରି ବାହାରକୁ ଶୌଚ ପାଇଁ ଯାଉଛନ୍ତି।
ପ୍ରକାଶ ଯେ, ଜିଲାରେ ୮ଟି ବ୍ଲକ ପାଇଁ ୨ ଲକ୍ଷ ୪୧ ହଜାର ୨୦୮ ଶୌଚାଳୟ ହେବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ତାହା ପୂରଣ ହୋଇଥିବା ବିଭାଗ ସୂଚନା ଦେଇଛି। ଭାପୁର ବ୍ଲକରେ ୨୪୩୫୭, ଦଶପଲ୍ଲାରେ ୨୦୫୯୯, ଗଣିଆରେ ୯୧୯୨, ଖଣ୍ଡପଡ଼ାରେ ୩୦୬୫୭, ନୟାଗଡ଼ରେ ୩୮୩୮୮, ନୂଆଗାଁରେ ୨୫୯୬୩, ଓଡ଼ଗାଁରେ ୫୨୧୯୧ ଓ ରଣପୁର ବ୍ଲକରେ ୩୯୮୬୧ ଶଚାଳୟ ନିର୍ମାଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ପୂରଣ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାଗଜକଲମରେ ଏହା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବରେ ପୂର୍ବରୁ ଯେଉଁଭଳି ଲୋକେ ଶୌଚ ପାଇଁ ବାହାରକୁ ଯାଉଥିଲେ ଏବେ ସେହିଭଳି ଯାଉଛନ୍ତି। ଜିଲାରେ ଶୌଚାଳୟର ଅବ୍ୟବସ୍ଥା ନେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କୁହନ୍ତି, ବିଭିନ୍ନ ସ୍ଥାନରୁ ଏ ନେଇ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରାଯାଉଛି। ପରେ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।