କହ୍ନେଇପୁର ଗାଁ ରାସ୍ତା ଶୋଚନୀୟ

ଚିଲିକା,୧୦।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର କହ୍ନେଇପୁର ଗାଁ । ଏହି ଗାଁ ର ପୂର୍ବପଟରେ ରହିଛି ଜଗତି ପାହାଡ଼, ପଶ୍ଚିମରେ ୧୬ ନଂ ଜାତୀୟ ରାଜପଥ। ରାଜପଥଠାରୁ ମାତ୍ର ୫ ଶହ ମିଟର ଦୂରରେ ରହିଛି ଉକ୍ତ ଗାଁ । ହେଲେ ଗାଁ ରାସ୍ତା ଶୋଚନୀୟ ହୋଇପଡିଛି। ଉକ୍ତ ରାସ୍ତା ପ୍ରତି କାହାର ନଜର ନାହିଁ।
ଜଗତି ପାହାଡ଼ରୁ ବର୍ଷା ଋତୁରେ ପାଣି ଗଡ଼ିଆସି ଗାଁ ରାସ୍ତାକୁ ନିଶ୍ଚିହ୍ନ କରି ଦେବାକୁ ବସିଲାଣି। ଗାଁ ମୁଣ୍ଡ ରାସ୍ତା ପାଣି କାଦୁଅରେ ସର୍ବଦା ପଚପଚ। କାଁ ଭାଁ କେଇଥର ମରାମତି ନାଁରେ ମୋରମ ଓ ଗେଟି ପଡିଥିବାବେଳେ ତାହା ଧୋଇ ହୋଇଗଲାଣି। ଦୁଇଚକିଆ, ୩ ଚକିଆ, ୪ ଚକିଆ ଯାନ ଗାଁ ଭିତରକୁ ଯାଇପାରୁନାହିଁ। ନାଚୁଣୀ ପଞ୍ଚାୟତ ଅଧୀନ ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାରେ ଦୀର୍ଘ କୋଡ଼ିଏ ବର୍ଷ ହେଲା ମାଟି ମୁଠାଏ ବି ପଡ଼ିନାହିଁ। ଗତ ବିଧାନସଭା ବେଳେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମଧ୍ୟ ଏ ପର୍ଯ୍ୟନ୍ତ ମିଳୁନାହିଁ। ଗାଁର ଶେଷ ମୁଣ୍ଡରେ ଚିଲିକା ବ୍ଲକକୁ ସଂଯୋଗ କରୁଥିବା ୫ ଶହ ମିଟର ରାସ୍ତାର ମଧ୍ୟ ଅନୁରୂପ ଅବସ୍ଥା। ଗାଁଟିର ଦାଣ୍ଡ ଓ ଘରଡ଼ିହ ବାଣପୁର ବ୍ଲକ୍‌, ଚିଲିକା ବ୍ଲକ୍‌ ଫଳରେ ଦୁଇଘର କୁଣିଆ ଉପାସ ଭଳି କହ୍ନେଇପୁର-ଚିଲିକା ବ୍ଲକ୍‌ ସଂଯୋଗ ରାସ୍ତାର ଅବସ୍ଥା ହୋଇଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସକ କିମ୍ବା ରାଜନେତା କେହି ଦୃଷ୍ଟି ଦେଉନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।