କଶ୍ମୀରର ଅନୁଭୂତି ବାଣ୍ଟୁଛି ଦରଗୁଡ଼ିଶିଳା

ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ପରିବେଶ ବେଶ୍‌ ମନୋରମ। ବିଶେଷ କରି ଶୀତ ରୁତୁର ଆଗମନରେ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ପ୍ରକୃତିରାଣୀର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ଏଭଳି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବା ଏଠାକାର କଶ୍ମୀର ଭାବେ ପରିଚିତ ଆନନ୍ଦପୁର ଉପଖଣ୍ଡର ‘ଦରଗୁଡ଼ିଶିଳା’। ଶୀତ ଋତୁର ଆଗମନରେ ସଜେଇ ହୋଇ ସାରିଛି ଦରଗୁଡ଼ିଶୀଳା। ବୈତରଣୀ ନଦୀ ଶଯ୍ୟାରେ ପାହାଡ଼ ଜଙ୍ଗଲ ଘେରା ପରିବେଶ ମଧ୍ୟରେ ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ବିଶେଷଭାବେ ଆକର୍ଷିତ କରିପାରୁଛି। ବଣଭୋଜି ପାଇଁ ଏଠାକୁ ଜିଲା ଓ ଜିଲା ବାହାର ଅଞ୍ଚଳରୁ ପର୍ଯ୍ୟଟକମାନଙ୍କ ଗହଳି ଲାଗିଥାଏ। ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ମତୁଆଲା କରୁଥିବା ବେଳେ ବୈତରଣୀ ନଦୀର ସ୍ବଚ୍ଛ ପାଣିରେ ଗାଧୋଇବା ନିଆରା ଅନୁଭୂତି ଦେଇଥାଏ। ନଦୀଶଯ୍ୟା ଉପର ପାହାଡ଼ରେ କୁହୁଡ଼ିର ଦୃଶ୍ୟ ଶୀତଳ ପରିବେଶରେ ପର୍ଯ୍ୟଟକ ଏହାକୁ ଏଠାକାର କଶ୍ମୀର ଭାବେ ବିବେଚନା କରୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ବୈତରଣୀ ନଦୀରେ ୫ଶହ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ଯୋଗୁ ଏହି ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ୨୦ନମ୍ବର ଜାତୀୟ ରାଜପଥ ଘଷିପୁରାଠାରୁ ଘଟଗାଁ ତାରିଣୀ ଅଭିମୁଖେ ଯିବା ବାଟ କୋଳିମାଟି ପଞ୍ଚାୟତର କୁମଡ଼ ଛକରୁ ଡାହାଣ ପାର୍ଶ୍ୱକୁ ଜଙ୍ଗଲିଆ ରାସ୍ତାରେ ୧୬ କି.ମି. ପରେ ପଡ଼ିବ ଜିଲାର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ‘ଦରଗୁଡ଼ିଶିଳା’।

– ଜିତେନ୍ଦ୍ର ସାହୁ, ଘସିପୁରା