କଳାହାଣ୍ଡିର ୪ ଚାଇନା ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର: ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖିଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଭବାନୀପାଟଣା,୧୬।୨(ଡି.ଏନ୍‌.ଏ.): ଚାଇନାରେ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏ ନେଇ କଳାହାଣ୍ଡି ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତେବେ ଏଠାରେ ଏଯାବତ୍‌ ଭାଇରସ ସଂକ୍ରମଣର କୌଣସି ସନ୍ଦେହ କିମ୍ବା ରୋଗ ଚିହ୍ନଟ ହୋଇ ନ ଥିଲେ ହେଁ ୪ ଜଣ ଚାଇନା ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛି ଜିଲା ସ୍ବାସ୍ଥ୍ୟ ବିଭାଗ। ସେମାନଙ୍କ ଉପରେ ନଜର ରଖିବାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ଜିଲାର ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଚିଠି ଲେଖିଛି।
ପ୍ରକାଶ ଯେ, କଲମପୁର ବ୍ଲକର ଜଣେ ମହିଳା, କେସିଙ୍ଗା ବ୍ଲକର ଜଣେ ବ୍ୟକ୍ତି ଓ ଲାଞ୍ଜିଗଡ ବ୍ଲକର ଜଣେ ପୁରୁଷ ଓ ଜଣେ ମହିଳା ମାସେ ତଳେ ଚାଇନାରୁ ଫେରିଥିଲେ। ଇତିମଧ୍ୟରେ କରୋନା ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଉକ୍ତ ଦେଶରୁ ଫେରିଥିବା ଏହି ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଆସନ୍ତା ୨୮ ଦିନ ପର୍ଯ୍ୟନ୍ତ ନଜର ରଖାଯିବ। ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ଲେଖିଛି।