କଳାବ୍ୟାଜ୍‌ ପରିଧାନ କଲେ ଚିନିଶିଳ୍ପ ଶ୍ରମିକ

ଆସିକା,୧୦ା୧(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଗୁରୁବାର ଶ୍ରମିକମାନେ କଳାବ୍ୟାଜ ପରିଧାନ କରିଛନ୍ତି। ଦାବି ପୂରଣ ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ମଙ୍ଗଳବାର ଚିନିଶିଳ୍ପ ଶ୍ରମିକ ସଂଘ ପକ୍ଷରୁ କାରଖାନା କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦିଆଯାଇଥିଲା। ୧୬ ତାରିଖ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ୧୭ରୁ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଶ୍ରମିକ ସଂଘ କର୍ମକର୍ତ୍ତାମାନେ ଧାରଣାରେ ବସିବେ ଏବଂ ଆବଶ୍ୟକ ପଡିଲେ ମୁଖ୍ୟ ଫାଟକ ସମ୍ମୁଖରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ପୂର୍ବରୁ ବହୁବାର କାରଖାନା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ଏପରିକି ପୂର୍ବରୁ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିନାମା ମଧ୍ୟ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବାରେ ହେୟ ମନୋଭାବ ପୋଷଣ କରିଥିବା ଶ୍ରମିକ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର କର କହିଛନ୍ତି। ଏ ସମ୍ପର୍କରେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, କାରଖାନା ପକ୍ଷରୁ ଶ୍ରମିକଙ୍କ ଦାବି ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ କାଗଜ ପତ୍ର ପ୍ରସ୍ତୁତ କରି ପଠାଇବା ଲାଗି ପଦକ୍ଷେପ ନିଆଯାଇଛି। ନିର୍ଦ୍ଦେଶ ମୁତାବକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।