କଳକାରଖାନା ଉପରେ କଟକଣା ନାହିଁ

ସମ୍ବଲପୁର, ୨୫।୩ (ବ୍ୟୁରୋ)- କେନ୍ଦ୍ର ସରକାର ଲକ୍‌ ଡାଉନ ୨୧ ଦିନ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଦୋକାନ, ବଜାର, ଅଫିସ ବନ୍ଦ ରହିବା ସହ ରାସ୍ତା ଘାଟ ଶୂନଶାନ ହୋଇପଡିଛି । ଯେଉଁମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ପୋଲିସ ବଳପୂର୍ବକ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛି । ହେଲେ ସବୁଠାରୁ ବିଚିତ୍ର କଥା ହେଲା ଯେ, ସମ୍ବଲପୁର ଜିଲାରେ ଥିବା କଳକାରଖାନା ଉପରେ କଟକଣା ଲଗାଯାଇ ନାହିଁ । ଏହାକୁ ନେଇ ବିଭିନ୍ନ ମହଳରେ ଅସନ୍ତୋଷ ଦେଖା ଦେଉଛି। ଏପରିକି ରେଙ୍ଗାଲି ଅଞ୍ଚଳରେ ଥିବା ଏକ କମ୍ପାନୀର କର୍ମଚାରୀ ଜିଲାପାଳ ଶୁଭମ୍‌ ସକ୍‌ସେନାଙ୍କୁ ଏ ନେଇ ଅବଗତ କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି। କମ୍ପାନୀ ଭିତରେ ସାମାଜିକ ଦୂରତ୍ୱ ପାଳନ କରାଯାଉ ନ ଥିବା ନେଇ ଭିଡିଓ, ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । କମ୍ପାନୀକୁ ଯିବାକୁ ସମ୍ବଲପୁର ସହରରୁ ଗାଡି ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୬ଜଣରୁ ଅଧିକ ଲୋକ ଏକାଠି ବସି ଯାତାୟତ କରୁଛନ୍ତି । ଏହା କ’ଣ କଟକଣା ଭଙ୍ଗ କରୁ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଣୁ କମ୍ପାନୀକୁ ଗାଡି ଚଳାଚଳ ପାଇଁ କିଭଳି ଭାବେ ପାସ୍‌ ଦିଆଯାଇଛି। ତାହା ମଧ୍ୟ ପ୍ରଶାସନର କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି । କମ୍ପାନୀ ଭିତରେ ମଧ୍ୟ କର୍ମଚାରୀମାନେ ଏକାଠି କାମ କରୁଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, କିଛି ଦିନ ହେବ କମ୍ପାନୀକୁ ରାଜ୍ୟ ଓ ଦେଶ ବାହାରୁ ଅନେକ କର୍ମଚାରୀ ଆସି ଏଠାରେ କାମ କରୁଛନ୍ତି । ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯାଇଛି । ସେମାନଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ମଧ୍ୟ ରହିଛି । ତେଣୁ ଅନେକ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ହେଲେ ଅଭିଯୋଗ କରିବାକୁ କାହାରି ସାହାସ ପାଉନାହିଁ । ସରକାରଙ୍କ ନିର୍ଦ୍ଦେଶ କ୍ରମେ କମ୍ପାନୀକୁ ତାଗିଦ କରାଯାଇଥିଲା । ସର୍ବନିମ୍ନ କର୍ମଚାରୀ ନେଇ କାମ କରିବା ସହ ହାତ ଧୋଇବାର ବ୍ୟବସ୍ଥା ସହ ସଚେତନତା କରିବା ପାଇଁ ନିର୍ଦ୍ଦେଶ ରହିଥିଲା । କମ୍ପାନୀ ପକ୍ଷରୁ କିନ୍ତୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇ ନାହିଁ । କେବଳ ଅଧିକାରୀମାନେ ମୁହଁରେ ମାସ୍କ ଲଗାଇ ବୁଲୁଛନ୍ତି । ହେଲେ ଏଠାରେ କାମ କରୁଥିବା ସି ଓ ଡି ଗ୍ରୁପ ଶ୍ରମିକମାନଙ୍କ ମଧ୍ୟରେ ସଂକ୍ରମଣ ରୋକିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏବେଠୁ କମ୍ପାନୀ ଉପରେ ଯଦି ରୋକ ଲଗାଯିବ ନାହିଁ ତାହା ହେଲେ ଲକ୍‌ ଡାଉନର କିଛି ମହତ୍ତ୍ବ ରହିବ ନାହିଁ ବୋଲି ସେମାନେ କହିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ରେଙ୍ଗାଲି, ହୀରାକୁଦ, ଠେଲକୁଲି ଭଳି ସ୍ଥାନରେ କମ୍ପାନୀ ଗୁଡିକ ରହିଛି ।