କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ କରାଯାଇଛି । ବ୍ଲକର ୧୪ଟି ପଞ୍ଚାୟତର ଏସ୍ସି, ଏସ୍ଟି, ଓବିସି ଓ ସଂଖ୍ୟାଲଘୁ ବର୍ଗର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ସନ୍ତୋଷ କୌଶଲ୍ୟା ସଭାପତି, ଡମ୍ବରୁ କାନ୍ଧପାଣି ଉପସଭାପତି, ପୁରେନ୍ଦ୍ର କରକରିଆ ସମ୍ପାଦକ, ଗରିବ ଗରଡ଼ିଆ ସାଧାରଣ ସମ୍ପାଦକ, ଅମର କୌଶଲ୍ୟା କୋଷାଧ୍ୟକ୍ଷ ଏବଂ ନରେନ୍ଦ୍ର କରକରିଆ ସହ-କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
ଏଥିସହ ପଙ୍କଜ କରକରିଆ, ବାପୁଜୀ ବେନିଆ, ସୁବାସଚନ୍ଦ୍ର ନିଶିକାଙ୍କ ସମେତ ୨୦ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଛି। ଧନମଣି ଭତ୍ରା, ଧନଞ୍ଜୟ ବିଡ଼ିକା, ମହନରାଓ ମିଣିଆକା ଓ ଯଦୁମଣି ଗରଡ଼ିଆଙ୍କ ସମେତ ବରିଷ୍ଠ ବ୍ୟକ୍ତିମାନଙ୍କୁ ଉପଦେଷ୍ଟା ମଣ୍ଡଳୀରେ ସାମିଲ କରାଯାଇଛି।
ଆଗାମୀ ଦିନରେ ବାବାସାହେବ ଡକ୍ଟର ବି.ଆର. ଆମ୍ବେଦକର ଓ ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶକୁ ପାଥେୟ କରି ସାମାଜିକ ନ୍ୟାୟ, ସମାନତା ଓ ସଚେତନତା ସୃଷ୍ଟି କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ଯୁବବର୍ଗଙ୍କୁ ଏକଜୁଟ କରି ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଯୁବମଞ୍ଚ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ।