କଲେଜ ଯିବେନି ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ବାରଣ କରିଛି ଉଚ୍ଚଶିକ୍ଷା ବିଭାଗ। ପରୀକ୍ଷା କିମ୍ବା ମୂଲ୍ୟାଙ୍କନ ସମ୍ବନ୍ଧୀୟ କାର୍ଯ୍ୟ ନଥିଲେ କଲେଜ ନ ଆସିବାକୁ କୁହାଯାଇଛି। ତେବେ ଜରୁରୀ କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ଡକାଇବା ମାତ୍ରେ ତୁରନ୍ତ ହେଡ୍‌କ୍ୱାର୍ଟରରେ ଉପସ୍ଥିତ ହେବାକୁ କୁହାଯାଇଛି। ଏନେଇ ସୋମବାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଅବଗତ କରାଇଛନ୍ତି।
ଅନ୍ୟପକ୍ଷରେ ରେସିଡେନ୍ସିଆଲ୍‌ ହଷ୍ଟେଲଗୁଡ଼ିକରେ ଥିବା ଛାତ୍ରୀଛାତ୍ରମାନେ ଚାହିଁଲେ ସେମାନଙ୍କ ଘରକୁ ଯାଇପାରିବେ। ହେଲେ ଯଦି କିଏ ବି ହଷ୍ଟେଲରେ ରହିବାକୁ ଚାହିଁବ, ସେମାନଙ୍କ ପାଇଁ ହଷ୍ଟେଲ୍‌ ଓ ମେସ୍‌ ଖୋଲା ରଖିବା ବାଧ୍ୟତାମୂଳକ। ପ୍ରମୁଖ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ଏବଂ ଏହାର ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ପୋଷ୍ଟର ଆକାରରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଖବରକାଗଜରେ ବାହାରୁଥିବା କରୋନା ସମ୍ପର୍କିତ ବିଜ୍ଞାପନକୁ ଇନ୍‌ଫରମେଶନ, ଏଜୁକେଶନ ଆଣ୍ଡ୍‌ କମ୍ୟୁନିକେଶନ(ଆଇଇସି) ମ୍ୟାଟେରିଆଲ ଭାବେ ବ୍ୟବହାର କରିବାକୁ କୁହାଯାଇଛି। ଆଗକୁ ହେବାକୁ ଥିବା ୬ଷ୍ଠ ସେମିଷ୍ଟର ପରୀକ୍ଷା ଏବଂ ଏହି ସେମିଷ୍ଟରର ବ୍ୟାକ୍‌ ପେପର ପରୀକ୍ଷା ପୂର୍ବ ସୂଚିତ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ହେଲେ ପରୀକ୍ଷା ପୂର୍ବରୁ ଭଲଭାବେ ଚେୟାର ଓ ଟେବୁଲ୍‌ ସଫା କରିବା, ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆବଶ୍ୟକ ଦୂରତା ରକ୍ଷା କରିବା, ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ ହାତ ସଫା କରିବା ଭଳି ଜରୁରୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ତେବେ ଅନ୍ୟ ସେମିଷ୍ଟର୍‌ ପରୀକ୍ଷାଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି।