କଲେଜ ପରିଚାଳନା କମିଟିରୁ ବାଦ୍‌ପଡ଼ିବେ ରାଜନେତା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଏବେ କଲେଜ ପରିଚାଳନା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି। କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ କିମ୍ବା ରାଜନେତାମାନେ ସ୍ଥାନ ପାଇବେ ନାହିଁ। ଗୁରୁବାର ଓଡ଼ିଶା ଅଭିଭାବକ ମହାସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକଥା କହିଛନ୍ତି। କେବଳ ଶିକ୍ଷାବିତ୍‌ମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଏବଂ ପରିଚାଳନା ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଏହି କମିଟିରେ ସଭାପତି ଭାବେ ନିଯୁକ୍ତି ଦିଆଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ଏହାଦ୍ୱାରା କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିବା ସହ ଉଚ୍ଚଶିକ୍ଷା ସୁଦୃଢ଼ ହୋଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ଅପରପକ୍ଷେ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକମାନେ ଆଉ ଘରୋଇ ଟ୍ୟୁସନ କରି ପାରିବେନାହିଁ। କୌଣସି କୋଚିଂ ସେଣ୍ଟରକୁ ଯାଇ ପାଠ ପଢ଼ାଇ ପାରିବେ ନାହିଁ। ଯେଉଁମାନେ ଏଭଳି କରୁଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି। ଅଧ୍ୟାପକମାନେ ଟ୍ୟୁସନ୍‌ରେ ବ୍ୟସ୍ତ ରହୁଥିବା ଯୋଗୁ ପାଠ ପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି। କେତେକ ଶିକ୍ଷକ ଘରୋଇ କଲେଜରେ ଅଧିକ ଧ୍ୟାନ ଦେଉଛନ୍ତି। ୧୯୯୨ ଶିକ୍ଷା ଆଇନରେ ଘରୋଇ ଟ୍ୟୁସନ ନ କରିବାକୁ ବ୍ୟବସ୍ଥା ରହିଥିଲେ ମଧ୍ୟ କେତେକ ଅଧ୍ୟାପକ ଘରୋଇ କଲେଜ ଓ କୋଚିଂ ସେଣ୍ଟରରେ ପାଠ ପଢ଼ାଉଛନ୍ତି। ଏ ନେଇ ପୂର୍ବରୁ ମଧ୍ୟ ତାଗିଦ୍‌ କରାଯାଇଛି। ତେବେ ଏହାର କିଛି ଫରକ ପଡୁ ନାହିଁ। ଏଣିକି ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।