କର୍ଲାମୁଣ୍ଡା ବ୍ଲକ ସର୍ବାଧିକ ୬୦୮ ମି.ମି. ବର୍ଷା ରେକର୍ଡ: ଶତାଧିକ ଲୋକେ ବିଭିନ୍ନ ସ୍ଥାନରେ ଆଶ୍ରୟ

କର୍ଲାମୁଣ୍ଡା,୧୪।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସୋମବାରଠାରୁ ମଙ୍ଗଳବାର ୧୨ଟା ସୁଦ୍ଧା ପ୍ରବଳ ବର୍ଷା ହୋଇଛି। ଏହି ବ୍ଲକରେ ସର୍ବମୋଟ ୬୦୮ ମି.ମି. ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆଶ୍ରୟ ନେଇଥିବା ଜଣାପଡିଛି । ବ୍ଲକର ସାପଲହରା ପଞ୍ଚାୟତ କଣ୍ଡରେଇ ଗାଁରେ ୧୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ଯାଇଥିବା ବେଳେ ଗାଁ ଜଳବନ୍ଧି ହୋଇରହିଛି । ଗାଁର ୪୦ ଜଣ ଲୋକ ନିକଟସ୍ଥ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ସେହିପରି କୁଶୁଲା ଯୁବକ ସଂଘ ଗୃହଠାରେ ୧୨ ଜଣ, ଯୋରାଡବରା ସ୍କୁଲରେ ୧୫ଜଣ, ସରାବାହାଲି ସ୍କୁଲରେ ୧୭ଜଣ, ଦେଓଗାଁ ସ୍କୁଲରେ ୫ଜଣ, ରିଞ୍ଜା ପଞ୍ଚାୟତ କାର୍ଯ୍ୟାଳୟଠାରେ ରିଞ୍ଜାର ୧୧ ଜଣ ଆଶ୍ରୟ ନେଇଛନ୍ତି । ବାଗବୁରେଇ ୧୩ ଜଣଙ୍କୁ କର୍ଲାମୁଣ୍ଡାଠାରେ ଓ କେନ୍ଦୁମୁଣ୍ଡିର ୨୫ ଜଣ କେନ୍ଦୁମୁଣ୍ଡି ସ୍କୁଲଠାରେ ଆଶ୍ରୟ ନେଇଥିବା ଜଣାପଡିଛି । ଅନ୍ୟପଟେ ଏହି ବ୍ଲକରେ ଲଗାଣ ବର୍ଷା ଯୋଗୁ ବ୍ଲକର ସଦର ମୁଖ୍ୟ ପିଡବ୍ଲ୍ୟୁଡି ରାସ୍ତା, ବିନ୍ଧାଣିଠାରୁ କର୍ଲାମୁଣ୍ଡା ରାସ୍ତା, ତେରେସିଙ୍ଗାଠାରୁ ରିଷିଡା ରାସ୍ତା, ବଡଡୁଙ୍ଗୁରିଗୁଡାଠାରୁ ମ.ରାମପୁର ରାସ୍ତା, ସରାବାହାଲିଠାରୁ ଖଲିଆପାଲି ରାସ୍ତା ପ୍ରମୁଖ ସ୍ଥାନରେ ରାସ୍ତା କଟପ୍‌ ହୋଇଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ପଲିଥିନ ବଣ୍ଟନ ବ୍ୟବସ୍ଥା କରିଥିବା ବେଳେ ଏଥିପାଇଁ ଲୋକଙ୍କ ଭିଡ଼ ଜମିଥିଲା।