କର୍ମଚାରୀଙ୍କ ଅନଶନକୁ ନେଇ ତ୍ରିପାକ୍ଷିକ ବୈଠକ: ଦୁଇ ଦିନରେ ସମାଧାନ କରିବାକୁ ନିର୍ଦ୍ଦେଶ

କାଳିଆପାଣି,୧୬ା୧୦(ଡି.ଏନ୍‌.ଏ.)- ଅଟ୍‌ୱାଲ ଛଟେଇ ଶ୍ରମିକଙ୍କ ଅନଶନକୁ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ସମାଧାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଉପଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଟା କମ୍ପାନୀ ଭିଟି ସେଣ୍ଟର ଗୃହରେ ବୈଠକ ହୋଇଥିଲା। ଏଥିରେ ୧୪/୧୫ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ରହିଥିବା ବୋନସ, ଛୁଟି, ଏଲ୍‌ଟିସ, ମେଡିକାଲ ଆଲାୱନ୍ସ, ଓଟି, ଅବସରକାଳୀନ ବିଭିନ୍ନ ଆନୁଷଙ୍ଗିକ ପ୍ରାପ୍ୟକୁ ନେଇ କରାଯାଇଥିବା ଦାବି ଉପରେ ଆଲୋଚନା ହୋଇଥିଲା। କର୍ମଚାରୀମାନେ ପ୍ରାଥମିକ ସ୍ତରରେ ନିଜଦାବି ଉପସ୍ଥାନ କରିଥିବା ବେଳେ ଜିଲାପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିଥିଲେ। ଦାବିଗୁଡିକ ମଧ୍ୟରୁ ଅଧିକାଂଶ ଦାବି ଶ୍ରମିକମାନେ ପାଇବା ହକ ବୋଲି ପ୍ରଶାସନ ହୃଦ୍‌ବୋଧ କରିବା ପରେ ଏ ସମ୍ପର୍କରେ ଅଟୱାଲ କର୍ତ୍ତୃପକ୍ଷଙ୍କୁ ମତରଖିବାକୁ କହିଥିଲେ। ଏହାର ଉତ୍ତରରେ ଅଟ୍‌ଓ୍ବାଲ ସଂସ୍ଥା ଆଥିର୍କସ୍ଥିତି ଦେଇ ଗତି କରୁଥିବାବେଳେ ଟାଟା ନିକଟ ରହିଥିବା ବକେୟା ଅର୍ଥ ମିଳିଲେ କର୍ମଚାରୀଙ୍କ ଅର୍ଥ ପ୍ରଦାନ କରାଯିବ ବୋଲି ଜିଏମ୍‌ ମଳୟ ରଞ୍ଜନ ପଟ୍ଟନାୟକ କହିଥିଲେ। ଅପରପକ୍ଷେ ଅଟୱାଲ କର୍ତ୍ତୃପକ୍ଷ ଟାଟା କମ୍ପାନୀକୁ କୌଣସି ସୂଚନା ନ ଦେଇ କାର୍ଯ୍ୟବନ୍ଦ ନୋଟିସ କରିବା ନେଇ ବୈଠକରେ ଟାଟା ଖଣି ମୁଖ୍ୟ ରାଜେଶ ପଟେଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ କର୍ମଚାରୀଙ୍କ କିଛି ଦାବିକୁ ଅଟୱାଲ କର୍ତ୍ତୃପକ୍ଷ ମାନିନେଇଥିବା ଜଣାପଡିଛି। କର୍ମଚାରୀଙ୍କ ପକ୍ଷରୁ କରାଯାଇଥିବା ଅବଶିଷ୍ଟ ଦାବିଗୁଡିକୁ ଆଗାମୀ ଦିନରେ ୨ ଦିନ ଭିତରେ ଟାଟା କର୍ତ୍ତୃପକ୍ଷ, ଅଟ୍‌ୱାଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ପ୍ରତିନିଧି ମଧ୍ୟରେ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ଓ କଳିଙ୍ଗନଗର ଉପ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଉପସ୍ଥିତଥିବା ଟାଟା ଖଣି ମୁଖ୍ୟ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜି.ଏସ୍‌.ଅଟୱାଲ କମ୍ପାନୀର ଏମଡି ଗୋବିନ୍ଦସିଂ, ଅଟୱାଲ ଆଇନ ପରାମର୍ଶଦାତା ଏସ୍‌.ଏନ୍‌.ପଟ୍ଟନାୟକ, କର୍ମଚାରୀ ପ୍ରତିନିଧି ସନ୍ତୋଷ କୁମାର ଧଳ, ମହେଶ୍ୱର ବାରିକ, ଅଜୟ ନାୟକ, ହଳଧର ସାମଲ, ରାଜେଶ୍ୱର କୁମାର ସିଂ, ବିଶ୍ୱନାଥ ମହାନ୍ତି, ପବିତ୍ର ମହାନ୍ତ, ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି , ଟାଟା କମ୍ପାନୀ ପ୍ରଶାସନିକ ଅଧିକାରୀ ଗୌତମ ଚକ୍ରବର୍ତ୍ତୀ, କର୍ପୋରେଟ କମ୍ୟୁନିକେଶନ ମୁଖ୍ୟ ଗୋପାଳ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶ ଯେ, ଖଣିରେ ଶ୍ରମିକମାନେ ବିଭିନ୍ନ ଦାବିରେ ଗାନ୍ଧୀ ଜୟନ୍ତୀରୁ ଧାରଣା ଦେଇଛନ୍ତି।