Categories: ଜାତୀୟ

କର୍ନାଟକ ଷଡ଼ଯନ୍ତ୍ର ପଛରେ ମୋଦି ସରକାର: କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ,୭ା୭(ଆଇଏଏନ୍‌ଏସ୍‌): କର୍ନାଟକ ଶାସକ ମେଣ୍ଟରୁ ୧୪ ବିଧାୟକ ଇସ୍ତଫା ଦେବା ଘଟଣାରେ କଂଗ୍ରେସ ଭାଜପାକୁ ଦୋଷାରୋପ କରିଛି। ଦଳବଦଳ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଷଡ଼ଯନ୍ତ୍ର ଚଳାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁର୍ଜଓ୍ବୋଲା କହିଛନ୍ତି। ଭାଜପା ଆମ ବିଧାୟକମାନଙ୍କୁ କିଣିବା ପାଇଁ ଉଦ୍ୟମ କରୁଛି। କର୍ନାଟକରେ ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା ଲାଗି ବିଧାୟକମାନଙ୍କୁ ଇସ୍ତଫା ଦେବା ନିମନ୍ତେ ଚାପ ପକାଉଛି। ଭାଜପାର ଏଭଳି ଉଦ୍ୟମକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି ବୋଲି ଦଳର ବରିଷ୍ଠ ନେତାମାନଙ୍କ ବୈଠକ ପରେ ସୁର୍ଜଓ୍ବୋଲା ଖବରଦାତାମାନଙ୍କୁ କହିଛନ୍ତି। କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି, ‘ଆୟା ରାମ, ଗୟା ରାମ’ ଏବେ ଭାରତର ନୂଆ ସଂଜ୍ଞା। ଏହା ଘୋଡାବେପାର ରାଜନୀତିର ନୂଆ ସଙ୍କେତ ହୋଇଛି। କେନ୍ଦ୍ର ସରକାର କର୍ନାଟକରେ ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରକୁ କଳଙ୍କିତ କରିବା ସହ ସମ୍ବିଧାନର ଉଲ୍ଲଂଘନ କରୁଛି ବୋଲି କଂଗ୍ରେସ ମୁଖପାତ୍ର ଅଭିଯୋଗ କରିଛନ୍ତି।
ଗତବର୍ଷ ମେ’ରେ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ହେଁ ସରକାର ଗଢ଼ିବା ଲାଗି ଆବଶ୍ୟକ ସଂଖ୍ୟା ନ ଥିବାରୁ କଂଗ୍ରେସ ଏବଂ ଜେଡିଏସ୍‌ ମେଣ୍ଟ କରି ତୃତୀୟ ସ୍ଥାନରେ ଥିବା ଜେଡିଏସ୍‌ର ନେତା ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲେ। ତେବେ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇ କଂଗ୍ରେସର କେତେଜଣ ବିଧାୟକ ପ୍ରଥମରୁ ଅସନ୍ତୁଷ୍ଟ ଥିଲେ। ସେମାନେ ପୂର୍ବରୁ ଏକାଧିକ ଥର ସେମାନଙ୍କ ଅସନ୍ତୋଷ ଜାହିର କରି ସରକାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ପୁଣି ଥରେ ମେଣ୍ଟ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଲୋକ ସଭା ନିର୍ବାଚନ ବେଳେ ଆଶଙ୍କା କରାଯାଉଥିଲା। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦୁଇ କଂଗ୍ରେସ ବିଧାୟକ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌ କ୍ରିଷ୍ଣାଙ୍କ ବାସଭବନକୁ ଯାଇଥିଲେ। ପରେ ବିଧାୟକ ରମେଶ ଜରକିହୋଲି ଇସ୍ତଫା ଘୋଷଣା କରିଥିବାବେଳେ ଡ. ସୁଧାକର ସିଧାସଳଖ ମେଣ୍ଟ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଫଳରେ କୁମାରସ୍ବାମୀ ସରକାର ପ୍ରତି ସଙ୍କଟ ଆସିପାରେ ବୋଲି ସେବେଠାରୁ ଅନୁମାନ କରାଯାଉଥିଲା।

Share