କର୍ନାଟକରେ ଗଞ୍ଜାମ ଶ୍ରମିକ ନିର୍ଯାତିତ

ଦିଗପହଣ୍ଡି,୨୭ା୧୧(ଡି.ଏନ.ଏ.) -କର୍ନାଟକର ଏକ କମ୍ପାନୀରେ ଗଞ୍ଜାମ ଜିଲାର ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ସୋମବାରଠାରୁ ଖାଇବାକୁ ନ ଦେଇ ରହିଥିବା ଘର ତୁରନ୍ତ ଛାଡ଼ିବାକୁ କମ୍ପାନୀ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ଗଞ୍ଜାମ ଜିଲାପାଳ, ଜିଲା ଶ୍ରମ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବାକୁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କର୍ନାଟକର ୱାଡି ସହର ନିକଟରେ ଥିବା ଏକ ଘରୋଇ କମ୍ପାନୀରେ କାମ କରିବାକୁ ଦିଗପହଣ୍ଡି, ସାନଖେମୁଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗାଁର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗତ ସେପ୍ଟେମ୍ବର ୨ ତାରିଖରେ ଯାଇଥିଲେ। କମ୍ପାନୀର ମ୍ୟାନେଜର ଶ୍ରମିକଙ୍କୁ ଦୈନିକ ୪ ଶହ ଟଙ୍କା ସହ ଖାଇବା, ରହିବା ଓ ପାନୀୟଜଳ ଯୋଗାଇଦେବା ପାଇଁ ଚୁକ୍ତି କରିଥିଲେ। ହେଲେ ଗତ ଅକ୍ଟୋବରରୁ ସେମାନଙ୍କୁ ମଜୁରି ମିଳିନାହିଁ ବୋଲି ଶ୍ରମିକ ମାନେ କହିଛନ୍ତି। ସୋମବାରରୁ କାମ ବନ୍ଦ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ଖାଇବାକୁ ଦେଇ ନ ଥିବା ନିଲାଞ୍ଚଳ ସ୍ବାଇଁ, ସୁଦାମ ସେଠୀ, ରିଙ୍କୁ ସ୍ବାଇଁ, ଟୁଲୁ ବରାଡ, ରାଜା ବରାଡ଼, ଇ.ତୋଫାନ, ଟୁନା ପରିଡ଼ା, ଅଭି ନାହାକ, ନିରଞ୍ଜନ ବେହେରା, ମୋହନ ପଲେଇ, କଂଗ୍ରେସ ଜେନା, ରବି ଗମାଙ୍ଗ, ଜିତୁ ଭୋଳ, ସନ୍ତୋଷ ସେଠୀ ପ୍ରମୁଖ କହିଛନ୍ତି। ଏଥିସହ ବକେୟା ମଜୁରି ଟଙ୍କା ଦିଆଯିିବ ନାହିଁ ବୋଲି ମ୍ୟାନେଜର ଓ କ୍ୟାସିୟର କହିଛନ୍ତି। ମଙ୍ଗଳବାର ବକେୟା ମଜୁରୀ ପ୍ରଦାନ ଦାବିରେ ଶ୍ରମିକମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲେ। କମ୍ପାନୀର ପଦସ୍ଥ କର୍ମଚାରୀମାନେ ପହଞ୍ଚି ଶୀଘ୍ର ମଜୁରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି। କମ୍ପାନୀର କିଛି ଗୁଣ୍ଡା ଶ୍ରମିକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ପାଖରେ ପଇସା ନ ଥିବାରୁ ସେଠାରୁ ଆସିପାରୁନାହାନ୍ତିି। ବେଙ୍ଗାଲୁରସ୍ଥିତ କମ୍ପାନୀର ମୁଖ୍ୟ ଶାଖା କର୍ତ୍ତୃପକ୍ଷ ଶ୍ରମିକଙ୍କୁ ମଜୁରି ପ୍ରଦାନ କରୁ ନ ଥିବାରୁ ଏଭଳି ହେଉଥ୍‌ତ୍ବା ସ୍ଥାନୀୟ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ କହୁଛନ୍ତି। ଜିଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନେବାକୁ ଶ୍ରମିକଙ୍କ ପରିବାର ଲୋକେ ଦାବି କରିଛନ୍ତି।