କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ: ଗୋପ ବ୍ଲକରୁ ଫେରିବ ୬୧୧ ଆବାସ ଗୃହ

ଗୋପ, ୧୦।୯(ଡି.ଏନ୍‌.ଏ.)-ଗୋପ ବ୍ଲକ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ଆବାସ ଗୃହ ଫେରିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆବାସ ଯୋଜନା ଗୃହ ପାଇଁ ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ଠିକ୍‌ ଭାବେ କାଗଜପତ୍ର ସଂଗ୍ରହ କରି ନ ପାରିବାରୁ ହିତାଧିକାରୀମାନେ ଏହି ଗୃହ ପାଇବାରୁ ବଞ୍ଚତ୍ତ ହେବେ ବୋଲି ଜଣାପଡ଼ିଛି।

ଫନୀ ବାତ୍ୟାରେ ଗୋପ ବ୍ଲକ୍‌ର ୩୧ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଦୀର୍ଘ ୪ ମାସ ଧରି ହଜାର ହଜାର ବିପନ୍ନ ଘରଭଙ୍ଗା ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସହାୟତା ରାଶି ପାଇବା ଲାଗି ବିପନ୍ନମାନେ ତହସିଲ, ବ୍ଲକ୍‌କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବାବେଳେ ସେମାନଙ୍କୁ ଏପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ କରାଯାଇପାରି ନ ଥିବା ଅଭିଯୋଗ ଆସିଛି। ସରକାର ବିପନ୍ନମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇଦେବା ଲାଗି ଘୋଷଣା କରିଥିଲେ। ଏହି କ୍ରମରେ ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ଲକକୁ ଆସିଥିବା ୬୧୧(ନର୍ମାଲ ଗୃହ)କୁ ଫେରାଇଦେବା ପଛରେ ବ୍ଲକ୍‌ କର୍ମଚାରୀଙ୍କ କି ସ୍ବାର୍ଥ ରହିଛି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋପ ବ୍ଲକ୍‌ରେ ଇନ୍ଦିରା ଆବାସ, ମୋ କୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେବା ସହ ଏହି ଯୋଜନାକୁ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯିବା ପରେ ଦୁଇ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାବେଳେ ଏହି ଗୃହ ଫେରିବା ଆଶଙ୍କାକୁ ନେଇ ତଦନ୍ତର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ବିଡିଓ ଦାସଙ୍କୁ ପଚାରିବାରେ ୨୦୧୯-୨୦ ବର୍ଷରେ ଯେଉଁ ଆବାସ ଗୃହ ଆସିଛି, ତାହାକୁ ହିତାଧିକାରୀମାନଙ୍କୁ ଦିଆଯିବ ବୋଲି କହିବା ସହ ଗୃହ ଫେରିଯିବା ସମ୍ପର୍କରେ କିଛି କହି ନ ଥିଲେ।