କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିଲେ; ଦୁର୍ଘଟଣାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ମାଲକାନଗିରି୧୭ା୫(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର କାର୍ଯ୍ୟରତ ଗୃହରକ୍ଷୀ ଲଚ୍ଛମନ ନାୟକ(୩୮) କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଗୋବିନ୍ଦପାଲି ମହାବିଦ୍ୟାଳୟସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ କରାଯାଇଥିଲା। ଏପ୍ରିଲ ୨୫ ସକାଳେ ଲଚ୍ଛମନ ତାଙ୍କ ବାଇକ ଯୋଗେ ସମ୍ପୃକ୍ତ କେନ୍ଦ୍ରକୁ କାର୍ଯ୍ୟ କରିବାକୁ ଯାଉଥିଲେ। ଗୋବିନ୍ଦପାଲି ନିକଟ ଧୁଙ୍ଗିଆପୁଟ ପୋଲ ନିକଟରେ ଭାରସାମ୍ୟ ହରାଇ ମୋଟରସାଇକେଲ ସହ ସେ ପୋଲ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ପଠାଯାଇଥିଲା। ବିଭାଗ ପକ୍ଷରୁ ଲଚ୍ଛମନଙ୍କୁ ଚିକିତ୍ସା ପାଇଁ ଆର୍ଥତ୍କ ସହାୟତା କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଉଥିବା ସମୟରେ ଲଚ୍ଛମନଙ୍କ ମୃତ୍ୟୁ ହୋଇଥିବାରୁ ଏନେଇ ରହିଥିବା ସମସ୍ତ ସରକାରୀ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିବା ଲାଗି ସାଧାରଣରେ ଦାବି ହେଉଛି।