କର୍ତ୍ତବ୍ୟ ଆଗ: ୮ ମାସର ଗର୍ଭବତୀ ସତ୍ତ୍ୱେ ଡ୍ୟୁଟି କରୁଛନ୍ତି ଏସ୍‌ଆଇ ମମତା

କଟକ ଅଫିସ,୨୨।୪: କରୋନା (କୋଭିଡ-୧୯)ମୁକାବିଲା ପାଇଁ ଏବେ ସବୁଆଡ଼େ ଲକ୍‌ଡାଉନ। ଏହାକୁ କଡ଼ାକଡ଼ି ପାଳନ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଛି ପୋଲିସ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଅଧିକାରୀ ଏବଂ ପୋଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେମିତି ଜଣେ ଅଧିକାରୀ ହେଉଛନ୍ତି ଏସ୍‌ଆଇ ମମତା ମିଶ୍ର।
ମମତା ୮ ମାସର ଗର୍ଭବତୀ ସତ୍ତ୍ୱେ ଡ୍ୟୁଟି କରୁଛନ୍ତି। ଏ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କର ପ୍ରଶଂସା କରିଛନ୍ତି। ମୟୂରଭଞ୍ଜ ଗସ୍ତ ବେଳେ ଡିଜିପି ଅଭୟ ଏସ୍‌ଆଇ ମମତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଡ୍ୟୁଟିରେ ଥିବା ବିଭିନ୍ନ ଅଧିକାରୀଙ୍କ ସହ ଲକ୍‌ଡାଉନ ବିଷୟରେ ଆଲୋଚନା କରିଥିଲେ। କିନ୍ତୁ ଏସ୍‌ଆଇ ମମତା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲେ। ୮ ମାସର ଗର୍ଭବତୀ ସତ୍ତ୍ୱେ ସେ ଛୁଟି ନ ନେଇ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ବେତନଟୀ ଥାନାରେ ଡ୍ୟୁଟି କରୁଛନ୍ତି। ଡିଜିପି ଅଭୟ ତାଙ୍କ କର୍ତ୍ତବ୍ୟପରାୟଣକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।