କରୋନା ସାଙ୍ଗକୁ ବର୍ଷା ମାଡ଼: ମଉଳିଗଲା ଚାଷୀଙ୍କ ଆଶା

ଖଇରା, ୮।୫(ଡି.ଏନ.ଏ.)-କରୋନା ସାଙ୍ଗକୁ ଏବେ ଦାଉ ସାଧୁଛି ବର୍ଷା। ଏଥିରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ। ବାଲେଶ୍ୱର ଜିଲା ଖଇରା ବ୍ଲକର ଗଗନଧୂଳି, ଡାଲଙ୍ଗ, ପଳସା ଓ ଅଚ୍ୟୁତପୁର ପଞ୍ଚାୟତରେ ଏହାର ପ୍ରଭାବ ପଡିଛି। ସରକାର କ୍ଷତିପୂରଣ ବ୍ୟବସ୍ଥା ନ କଲେ ସେମାନେ ଅଣ୍ଟାସଳଖି ଚାଳିବା ଅସମ୍ଭବ ହୋଇପଡିବ ବୋଲି ବିଭିନ୍ନ ପଞ୍ଚାୟତର ଚାଷୀ ପିତାମ୍ବର ମହାରଣା, ବୃନ୍ଦାବନ ବେହେରା, ଲକ୍ଷ୍ମୀ ଶରଣ, ମାମିନା ଶରଣ, ଭୁବନା ସାହୁ ଓ ମୂରଲୀଧର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି ା
ଉପରୋକ୍ତ ପଞ୍ଚାୟତରେ ଆନୁମାନିକ ୫୦ହେକ୍ଟର ଜମିରେ ମୁଗ ଚାଷ କରାଯାଇଥିଲା। ଏଥିପାଇଁ ଚାଷୀମାନେ ବିହନ ସାର କୀଟନାଶକ ବାବଦରେ ପାଣି ଭଳି ପଇସା ଖର୍ଚ୍ଚ କରିଥିଲେ ା ଭଲ ପାଗ ଯୋଗୁ ଏବର୍ଷ ଭଲ ଫସଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। ହେଲେ ସେସବୁ ମଉଳି ଯାଇଛି। ପ୍ରଥମେ କରୋନା ଲକଡାଉନ ଯୋଗୁ ଚାଷୀମାନେ ବିଲକୁ ଯାଇ ପାରି ନ ଥିଲେ କି ଅମଳ ପାଇଁ ସାହସ କରିପାରି ନ ଥିଲେ ା ସରକାର ଚାଷଜମିକୁ ଯାତାୟାତରେ କୋହଳ ଦେବା ପୂର୍ବରୁ ଅର୍ଦ୍ଧାଧିକ ଫସଲ ନଷ୍ଟ ହୋଇ ସାରିଥିଲା ା ସେତିକିରେ ବି ଚାଷୀମାନଙ୍କର ଦୁଃଖ ସରି ନ ଥିଲା। କ୍ରମାଗତ କାଳବୈଶାଖୀର ତାଣ୍ଡବ ଚାଷୀର ସବୁ ଆଶାକୁ ଧୂଳିସାତ କରିଦେଇଥିଲା। ପାଣିରେ ବୁଡିରହିବା ପରେ ପାଚିଲା ମୁଗରୁ ଗଜା ବାହାରିଲାଣି ା ସମବାୟ ସମିତି ଓ ବ୍ୟାଙ୍କରୁ ଋଣ ଆଣି ଚାଷରେ ଲଗାଇଥିବା ଚାଷୀମାନେ କଣ କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ା ପ୍ରଧାନମନ୍ତ୍ରୀ ଫସଲ ବୀମାରେ ମଧ୍ୟ ତାଙ୍କ ନାମକୁ ଅନ୍ତର୍ଭୁକ୍ତ କରାଯାଇ ନ ଥିବାରୁ ସେମାନଙ୍କର ବୀମା କ୍ଷତିପୂରଣ ପାଇବା ଆଶା କ୍ଷୀଣ ା ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗିରେନ୍ଦ୍ର ବେହେରାଙ୍କ ମତାମତ ନେବାରେ ୨୨ହେକ୍ଟର ଜମି ନଷ୍ଟ ହୋଇଥିବା ସମ୍ପର୍କରେ ରିପୋର୍ଟ ସରକାରଙ୍କୁ ଦିଆଯାଇଥିବା କହିଛନ୍ତି ା