କରୋନା ସାଙ୍ଗକୁ କାଳବୈଶାଖୀ: ବ୍ୟାପକ ଫସଲ ନଷ୍ଟ

ଖପ୍ରାଖୋଲ, ୨୭ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଗତଦୁଇ ଦିନ ତଳେ ହୋଇଥିବା କାଳବୈଶାଖୀ ସହ କୁଆପଥର ମାଡ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ପନିପରିବା ବିକ୍ରି ହୋଇ ପାରୁ ନ ଥିବାବେଳେ ଏବେ କାଳବୈଶାଖୀ ଚାଷୀଙ୍କୁ ବେହାଲ କରିଦେଇଛି। ବ୍ଲକରେ ଅମଳ ଉପଯୋଗୀ ରବିଧାନ ସାଙ୍ଗକୁ ମୁଗ ଓ ପରିବା ଚାଷ ବ୍ୟାପକଭାବେ ନଷ୍ଟ ହୋଇଛି। କଦଳୀ ଓ ଆମ୍ବ ମଧ୍ୟ କୁଆପଥର ଯୋଗୁଁ ଝଡି ପଡିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବ୍ଲକର ଭାଲୁଡୁଙ୍ଗୁରୀ ଗାଁର ରବି ଧାନ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ବନ୍ଦେପଦର ଗାଁର ମକୁନ୍ଦ ନାଗ, ପାଚେର ଗାଁର ମଣ୍ଟୁ ନନ୍ଦଙ୍କ ତରଭୁଜ ଫସଲ, ଧଣ୍ଡାମୁଣ୍ଡାର ଦେବକାନ୍ତ ପାଣିଗ୍ରାହୀଙ୍କ ଆମ୍ବ ଚାଷ ନଷ୍ଟ ହୋଇଛି । ଏନେଇ ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କୁ ପଚାରିବାରୁ ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁଁ ଧାନ ଓ ମୁଗ ଫସଲ ନଷ୍ଟ ହୋଇଛି। କେଉଁ ଚାଷୀଙ୍କ କେତେ ପରିମାଣରେ କ୍ଷତି ହୋଇଛି ତାହାର ଆକଳନ ଚାଲିଥିବା କହିଛନ୍ତି। ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାଏକଙ୍କୁ ପଚାରିବାରୁ ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁଁ ବିଭିନ୍ନ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଛି। କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ଚାଷୀଙ୍କୁ କ୍ଷତିପୂରଣ ସହାୟତା ମିଳିବ ବୋଲି କହିଛନ୍ତି।