କରୋନା ସମୟରେ ବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ: ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): କରୋନା ଭୂତାଣୁ ସମଗ୍ର ରାଜ୍ୟରେ କାୟା ବିସ୍ତାର କରି ଚାଲିଥିବା ବେଳେ ଉପକୂଳ ଓଡ଼ିଶା ପାଇଁ ଆଉ ଏକ ବିପଦ ଆଶଙ୍କା ସୃଷ୍ଟି କରିଛି ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅମ୍ଫନ’। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇସାରିଛି। ୧୮ ତାରିଖ ସନ୍ଧ୍ୟାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ। ତେବେ ବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ବୋଲି ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଆଣ୍ଟିଭେନମ୍‌ ଇଞ୍ଜେକ୍‌ସନ ସହ ସମସ୍ତ ଔଷଧ ମହଜୁଦ ରହିଛି। କରୋନା ସମୟରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି।