କରୋନା ସଚେତନତା ନେଇ ଭିଡିଓ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଥରଥର। ଏହି ମାରାତ୍ମକ ରୋଗ ପାଇଁ କୌଣସି ଔଷଧ ନାହିଁ। ସଚେତନତା ହିଁ ଏକମାତ୍ର ପନ୍ଥା। ଏହି ରୋଗର ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଚେତନତା ହିଁ କବେଳ ଏହି ରୋଗ କବଳରୁ ମୁକ୍ତି ଦେଇ ପାରିବ। ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଯେଉଁ ବ୍ୟକ୍ତି ବିଦେଶରୁ ୨୪ ଘଣ୍ଟା ଭିତରେ ଆସିଛନ୍ତି କିମ୍ବା ଆସୁଛନ୍ତି ସେମାନେ ୧୦୪ ନମ୍ବରକୁ ଫୋନ କରି କିମ୍ବା ଅନଲାଇନ ପୋର୍ଟାଲ https://covid19,odisha.gov.in ଜରିଆରେ ନିଜର ନାମ ପଞ୍ଜୀକୃତ କରି ପାରିବେ। ସେମାନଙ୍କୁ ନିଜର ଟେଲିଫୋନ ନମ୍ବର ସହ ଅନ୍ୟାନ୍ୟ ଆବଶ୍ୟକ ବିବରଣୀ ଦେବାକୁ ହେବ। ପରିବାର ସଦସ୍ୟ, ବନ୍ଧୁବାନ୍ଧବ ବିଦେଶାଗତମାନଙ୍କ ପାଇଁ ନାମ ପଞ୍ଜୀକୃତ କରି ପାରିବେ। ଏହାଛଡା ଯେଉଁ ବ୍ୟକ୍ତି ବିଦେଶରୁ ଆସୁଛନ୍ତି ସେମାନେ ନିଜ ଘରେ ୧୪ ଦିନ ଅଲଗା ରହିବା ସହତି ଅନ୍ୟ କାହା ସହ ମିଳାମିଶା ନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଆପଣମାନଙ୍କର ସହଯୋଗ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।