କରୋନା ଯନ୍ତ୍ରଣା: ଗଞ୍ଜାମରେ ଅଳିଆ ଗଦାରୁ ଖାଦ୍ୟ ସାଉଁଟୁଛନ୍ତି ଗୋରୁପଲ

ବ୍ରହ୍ମପୁର ଅଫିସ,୨୨।୪- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ (ତାଲା ବନ୍ଦ ) ସ୍ଥିତି ଜାରି ରହିଛି। ଏଥିଯୋଗୁ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀମାନେ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ସମଗ୍ର ଗଞ୍ଜାମ ଜିଲାରେ ବୁଲା ଗାଈଗୋରୁ ଏବେ ଭୋକିଲା ରହୁଛନ୍ତି। ବ୍ରହ୍ମପୁର ମହାନଗରରେ କିଛି ଲୋକ ଓ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ବୁଲୁଥିବା ଗାଈ, କୁକୁର ପାଇଁ ରାଜ୍ୟ ସରକାର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ତାହା ସହର ଭିତରେ ବିଚରଣ କରୁଥିବା ଗୋରୁପଲ ଓ ବିଭିନ୍ନ ପ୍ରକାର ପଶୁଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ହୋଇପଡିଛି। ହୋଟେଲଗୁଡିକ ବନ୍ଦ ହୋଇଯାଇଥିବାରୁ ବୁଲା ଗୋରୁପଲ ଅଧିକ ପ୍ରଭାବିତ ହୋଇଛନ୍ତି। ଏପରିକି ଗୋରୁପଲ ଖାଦ୍ୟ ନ ପାଇ ଛଟପଟ ହେଉଛନ୍ତି । କୁକୁର ପଲ ଏବେ ଲୋକଙ୍କ ଘର ଆଗରେ ଦିନସାରା ଜଗି ରହୁଛନ୍ତି। ଲୋକମାନେ ଘରର ବଳକା ଖାଦ୍ୟ କୁକୁର ମାନଙ୍କୁ ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବୁଲା ଗାଈ ଗୋରୁଙ୍କ ଅବସ୍ଥା ଜଟିଳ ହୋଇପଡିଛି। ଅଳ୍ପସମୟ ପାଇଁ ଖୋଲା ଯାଉଥିବା ପନିପରିବା ଦୋକାନରୁ ଯାହାକିଛି ପଚାଷଢା ପନିପାରିବା ବାହାରୁଛି ତାହା ଦୋକାନୀ ବଜ଼ାର ଶେଷ ମୁଣ୍ଡରେ ଜମା ରଖିଥାଏ। ତାହାକୁ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି କିଛି ଗୋରୁପଲ। ହେଲେ ତାହା ସମସ୍ତ ଗାଈ ଗୋରୁଙ୍କ ଭାଗ୍ୟରେ ମିଳିନଥାଏ। ଅଧିକାଂଶ ଗାଈ ଗୋରୁ ଭୋକ ସମ୍ଭାଳିନପାରି ସହର ଭିତରେ ଥିବା ବିଭିନ୍ନ ଗାର୍ବେଜ ପଏଣ୍ଟ ରେ ଜମା ରହିଥିବା ଅଳିଆ ଆବର୍ଜନା ରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖିବାକୁ ମିଳିଛି।