କରୋନା ମୁକାବିଲା: ସ୍ଥାନାନ୍ତର ହେଲେ ୯୮୯ କଏଦୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ଓଡିଶା କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ କୋଭିଡ-୧୯ ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୯୦ ଜେଲରେ ୧୮ ହଜାର ୧୨ ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ରହିଥିବାବେଳେ ଏବେ ୧୭ ହଜାର ୫୧୯ ଜଣ କଏଦୀ ଅଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ମାର୍ଚ୍ଚରୁ ଏପ୍ରିଲ ୧ ମଧ୍ୟରେ ମୋଟ ୧ ହଜାର ୮୭୩ଜଣ ବିଚାରାଧୀନ କଏଦୀଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। ସେହିପରି ୯୮୯ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି। ୨୦ଜଣ କଏଦୀଙ୍କୁ ପାରୋଲରେ ଛାଡି ଦିଆଯାଇଥିବାବେଳେ ଉତ୍ତମ ବ୍ୟବହାର ପାଇଁ ୧୭୭ ଜଣଙ୍କୁ ଜେଲଦଣ୍ଡ ସମୟ ହ୍ରାସ କରାଯାଇ ଛାଡି ଦିଆଯାଇଥିବା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୂର୍ବରୁ ଜେଲ ନିଦ୍ଦେଶାଳୟ ପକ୍ଷରୁ କଏଦୀ ସମ୍ପର୍କୀୟଙ୍କ ପାଇଁ ଇ-ଭିଜିଟ ଅର୍ଥାତ ଇ-ମୁଲାକାତ ବ୍ୟବସ୍ଥା କରାଯାଇଥିଲା।