କରୋନା ମୁକାବିଲା ଲାଗି ବ୍ୟାପକ କାର୍ଯ୍ୟକ୍ରମ

କେନ୍ଦୁଝର, ୨୭ା୩(ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ କେନ୍ଦୁଝରଗଡ ପୌରପାଳିକା ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରକୁ ସମ୍ପୂର୍ଣ୍ଣ ପରିମଳ ରଖିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ପକାଇବା, ଡିଡିଟି ସିଞ୍ଚନ, ଡ୍ରେନଗୁଡିକର ସ୍ବତନ୍ତ୍ର ସଫେଇ କରାଯାଉଥିବା ବେଳେ ଲୋକଙ୍କ ସୁବିଧା ପାଇଁ ପରିବା ମାର୍କେଟରେ ବ୍ୟବସ୍ଥା କରାଯାଇଛି ା କୃଷକ ବଜାର,ରାସପଡିଆ ଡେଲି ମାର୍କେଟ ଓ ପୁରୁଣା ବଜାର ରଥ ସମ୍ମୁଖରେ ପରିବା ବିକ୍ରି ପାଇଁ ସ୍ବତନ୍ତ୍ର ଜୋନ କରାଯାଇ ନିରାପଦ ଦୂରତାରେ ଯେପରି ଲୋକମାନେ ପରିବା କିଣିବେ ସେଥିପ୍ରତି ପଦକ୍ଷେପ ନିଆଯାଇଛି ା କୃଷକ ବଜାର ଓ ରାସପଡିଆ ଡେଲି ମାର୍କେଟରେ ବାରିକେଡ ବ୍ୟବସ୍ଥା କରାଯାଇ କେବଳ ଜଣେ ବ୍ୟକ୍ତି ଯାତାୟାତ କରିବା ସହ ଭିଡ କମାଇବା ପାଇଁ ପଦକ୍ଷେପ ନିଆଯାଇଛି ା ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯିବା ସହ ଅତ୍ୟାବଶ୍ୟକ ସୂଚନା ପ୍ରଦାନ କରାଯାଉଛି ା ଏକ ସଚେତନତା ରଥ ମଧ୍ୟ ସହର ପରିକ୍ରମା କରୁଛି ା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ସ୍ବଚ୍ଛ ସାଥୀ, ପରିମଳ ସହାୟକ, ପରିମଳ ନିରୀକ୍ଷକ ଓ ଓ ଅନ୍ୟାନ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ‘ମୋ ଜୀବନ’ ଶପଥପାଠ କରାଉଛନ୍ତି ା କେନ୍ଦୁଝରଗଡ ନିର୍ବାହୀ ଅଧିକାରୀ ଡଃ ସାମନ୍ତରାୟଙ୍କ ବ୍ୟତୀତ ସହାୟକ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ବେହେରା, କନିଷ୍ଠଯନ୍ତ୍ରୀ ଶୁଭ୍ରାଂଶୁ ଦାସ, ଦୁର୍ଗା ମାହାଲି, ପ୍ରଦୀପ କୁମାର ପଣ୍ଡା, ପରିମଳ ନିରୀକ୍ଷକ ବାଲ୍ୟମୁକୁନ୍ଦ ମିଶ୍ର ଓ ଅନ୍ୟ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।