କରୋନା ମୁକାବିଲା ପାଇଁ ସହାୟତା

ଢେଙ୍କାନାଳ ଅଫିସ, ୨୩।୪: ଢେଙ୍କାନାଳ ଜିଲାର ବିଭିନ୍ନ ଅନୁଷ୍ଠାନ କରୋନା ମୁକାବିଲା ଲାଗି ଅକୁଣ୍ଠ ସହାୟତା ପ୍ରଦାନ କରୁଛନ୍ତି। ବିଧାୟକ ସୁଧୀର ସାମଲଙ୍କ ଉପସ୍ଥିତିରେ ଜିଲା କ୍ରଶର ମାଲିକ କଲ୍ୟାଣ ସଂଘ ପକ୍ଷରୁ ବୁଧବାର ଜିଲା ରେଡ୍‌କ୍ରସ୍‌ ପାଣ୍ଠିକୁ ୬ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହି ଚେକ୍‌ ଗ୍ରହଣ କରିଥିଲେ। ସଂଘ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଧଳ, ସମ୍ପାଦକ ବରଦା ପ୍ରସାଦ ନନ୍ଦ, ଜି. ପରମେଶ୍ୱର ରାଓ, ମାନସ ରଞ୍ଜନ ରାଉତ, ବିଜ୍ଞାନ ଜେନା, ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଓଡ଼ାପଡ଼ା ବ୍ଲକ ରାମଚଣ୍ଡୀ ସେବା ପରିଷଦ ପକ୍ଷରୁ ୧ଲକ୍ଷ ୧ହଜାର ଟଙ୍କା ପ୍ରଦାନ କରାଯାଇଛି।
ପରିଷଦ ସଭାପତି ବିଧାୟକ ସୁଧୀର ସାମଲ, କୋଷାଧ୍ୟକ୍ଷ ପ୍ରସନ୍ନ ସାହୁ, ନରୋତ୍ତମ ସାହୁ, ସୁଧା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଯୋରନ୍ଦା ପଞ୍ଚାୟତ ପକ୍ଷରୁ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ରେଡ୍‌କ୍ରସ୍‌ ପାଣ୍ଠିକୁ ୫୦ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି।