କରୋନା ମୁକାବିଲା ପାଇଁ ନିରନ୍ତର ଦାୟିତ୍ୱସମ୍ପନ୍ନ ଭାବେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ଗଣମାଧ୍ୟମ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ମହାମାରୀ ରୂପ ନେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଦିଗରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶଂସା କରିଛନ୍ତି। କରୋନା ମୁକାବିଲା ପାଇଁ ଗଣମାଧ୍ୟମ ନିରନ୍ତର ସାହାଯ୍ୟ କରୁଛନ୍ତି। ଅତ୍ୟନ୍ତ ଦାୟିତ୍ୱସମ୍ପନ୍ନ ଭାବେ ନିଜକୁ ପରିଚାଳିତ କରୁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ସମସ୍ତ ପ୍ରତିନିଧିମାନଙ୍କୁ ତାଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିବା ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।