କରୋନା ମୁକାବିଲା ପାଇଁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର: ଭାରତରେ ରହିଛି ୫୦ ହଜାର

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ଏପରିସ୍ଥଳେ ଭାରତରେ ସମ୍ପ୍ରତି ୫୦ ହଜାର ଭେଣ୍ଟିଲେଟର ରହିଛି। କରୋନା ମୁକାବିଲା ଲାଗି ୧୦ ଲକ୍ଷ ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ଭେଣ୍ଟିଲେଟର ଯୋଗାଡ଼ ନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। କେଙ୍ଗାଲୁରୁସ୍ଥିତ କମ୍ପାନୀ ଡାୟନାମେଟିକ୍‌, ଷ୍ଟାର୍ଟ ଅପ୍‌ ନୋକ୍କା ରୋବୋଟିକ୍ସ୍‌ ଏବଂ ନୂଆ ଦିଲ୍ଲୀସ୍ଥିତ କମ୍ପାନୀ ଅଗଓ୍ବା ହେଲଥ୍‌ କେୟାର ପକ୍ଷରୁ ଦେଶର ଭେଣ୍ଟିଲେଟର ଚାହିଦା ପୂରଣ ପାଇଁ ପ୍ରୟାସ କରାଯାଉଛି। କମ୍ପାନୀଗୁଡ଼ିକ ପକ୍ଷରୁ ଭେଣ୍ଟିଲେଟର ନିର୍ମାଣ ଜାରି ରହିଛି। ତେବେ ଲକ୍‌ ଡାଉନ୍‌ରେ କର୍ମଚାରୀ ଅଭାବ ଯୋଗୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କଷ୍ଟକର ହେଉଥିବା କୁହାଯାଉଛି। ଲକ୍‌ ଡାଉନ୍‌ ମଧ୍ୟରେ ସମସ୍ତ ଚିକିତ୍ସା ଉପକରଣ ପ୍ରସ୍ତୁତ କରି ରଖିବା ଲାଗି ସରକାର ଯୋଜନା କରିଥିଲେ। ଏପ୍ରିଲ୍‌ ମାସରେ ମାତ୍ର ୮ ଦିନରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ବଢ଼ିଛି। ଏହା ଜାରି ରହିଲେ ସ୍ଥିତି ଅସମ୍ଭାଳ ହେବ ବୋଲି କୋଲକାତାର ପିୟରଲେସ୍‌ ହସ୍ପିଟାଲର କ୍ଲିନିକାଲ ନିର୍ଦ୍ଦେଶକ ଶୁଭ୍ରଜ୍ୟୋତି ଭୌମିକ୍‌ ସୂଚନା ଦେଇଛନ୍ତି। ଯଦି ଭାରତର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ୧୦ ପ୍ରତିଶତ କରୋନା ଦ୍ୱାରା ସଂକ୍ରମିତ ହୁଅନ୍ତି, ଏବଂ ସେମାନଙ୍କ ମଧ୍ୟରୁ ୧ ପ୍ରତିଶତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୁଏ ତେବେ ଏହାକୁ ଯୋଗାଇବା ଅସମ୍ଭବ ହୋଇ ପଡ଼ିବ ବୋଲି ସେ କହିଛନ୍ତି।

Share