କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜିଲାପାଳଙ୍କୁ ଫୋନ୍‌ କରି ତାଙ୍କର ପ୍ରଶଂସା କରିଛନ୍ତି। ମଙ୍ଗଳବାର ଜିଲାପାଳ ଟୁଇଟକରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜ଼ିଲା ଟିମ୍‌ ବହୁତ ଭଲ କାମ କରୁଛି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜ଼ିଲାପ୍ରଶାସନ ପକ୍ଷରୁ ପ୍ରଥମେ ଗଞ୍ଜାମ ଜ଼ିଲାରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ପ୍ରତ୍ୟେହ ୧୯ ଘଣ୍ଟା ଆଂଶିକ ସଟ୍‌ଡାଉନ ଜାରି ହୋଇଥିଲା। ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ, ନୋ ମାସ୍କ ନୋ ରାସନ ଆଦିକୁ ଗଞ୍ଜାମ ଜ଼ିଲାପାଳ କାର୍ଯ୍ୟକାରୀ କରିଥିଲେ। ପରେ ଏ ସବୁ ରାଜ୍ୟରେ ଲାଗୁ ହୋଇଥିଲା। ଜିଲାର ୫୦୩ଟି ପଞ୍ଚାୟତରେ ଆଇସୋଲଶନ ସେଣ୍ଟର ପ୍ରତିଷ୍ଠାଠାରୁ ଆରମ୍ଭକରି ଜ଼ିଲାର ସମସ୍ତ ଘରକୁ ଯାଇ ସ୍ବାସ୍ଥ୍ୟାବସ୍ଥା ସର୍ଭେ, ଫ୍ଲୁ ଥିବା ବ୍ୟକ୍ତିଙ୍କ ଡାକ୍ତରୀ ଟିମ୍‌ ଦ୍ୱାରା ସ୍କ୍ରିନିଂ ଆଦି ରାଜ୍ୟରେ ପ୍ରଥମେ ଗଞ୍ଜାମ ଜିଲାପାଳ ଆରମ୍ଭ କରିଥିଲେ। ପୂର୍ବରୁ ଗଞ୍ଜାମରେ କୋଭିଡ ହସ୍ପିଟାଲ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିଥିବାରୁ ମୁଖ୍ୟମନ୍ତ୍ରୀ ଟୁଇଟକରି ଗଞ୍ଜାମ ଜ଼ିଲା ପ୍ରଶାସନକୁ ପ୍ରଶଂସା କରିଥିଲେ।