କରୋନା ମୁକାବିଲା ଆଳରେ ମହାଦୁର୍ନୀତି ଅଭିଯୋଗ: ତଦନ୍ତ ଦାବି କଲା କଂଗ୍ରେସ

ବରଗଡ଼ ଅଫିସ,୧୧।୬- ମହାମାରୀ କରୋନା (କୋଭିଡ-୧୯) ସଂକ୍ରମଣ ଯୋଗୁ ଦେଶ ଏକ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ମାତ୍ର ଏଭଳି ବିପର୍ଯ୍ୟୟ ସମୟରେ ରାଜ୍ୟରେ କରୋନା ମୁକାବିଲା ଆଳରେ ମହାଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି। ଏଭଳି ଅଭିଯୋଗ କରି କଂଗ୍ରେସ ଜଣେ ବିଚାରପତିଙ୍କ ଦ୍ବାରା ଏହାର ନିରପେକ୍ଷ ତଥା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ମାସ୍କ ଏବଂ କୋଭିଡ ମେଶିନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲା କଂଗ୍ରେସର ନେତା, କର୍ମୀମାନେ ଗୁରୁବାର ଜିଲାପାଳ ଅଫିସ ଯାଇ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଏ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଉପଜିଲାପାଳ ପ୍ରଭାସ ଦଣ୍ଡସନା ସ୍ମାରକପତ୍ର ଗ୍ରହଣ କରିଥିଲେ। କଂଗ୍ରେସ ନେତା ଯୁଗଳ ପ୍ରସାଦ ସିଂହ, ନିପନ କୁମାର ଦାଶ, ପ୍ରଦୀପ ଦେବତା, ନିହାର ରଞ୍ଜନ ମହାନନ୍ଦ, ଦିଲୀପ ପଣ୍ଡା, ପ୍ରତାପ ନାୟକଙ୍କ ସମେତ ଶତାଧିକ ଦଳୀୟ ନେତା, କର୍ମୀ ଉପସ୍ଥିତ ଥିଲେ।