କରୋନା ମୁକାବିଲାର ଯୋଦ୍ଧା ଏସ୍‌ଆଇ ନାରାୟଣ: ‘ଆଗେ ରାଜସେବା, ପଛେ ପିତୃସେବା’

କଟକ ଅଫିସ,୧୦।୪: ‘ଯଦି କର୍ତ୍ତବ୍ୟକୁ ସମ୍ମାନ ଜଣାଇବ, ତାହେଲେ କାହାକୁ ସାଲ୍ୟୁଟ ମାରିବାକୁ ପଡ଼ିବନି.. କର୍ତ୍ତବ୍ୟରେ ହେଳା କଲେ, ସମସ୍ତଙ୍କୁ ସାଲ୍ୟୁଟ ମାରିବାକୁ ହୁଏ’। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ ଡ. ଏପିଜେ ଅବଦୁଲ କଲାମ୍‌ଙ୍କ ଅଭିଭାଷଣରୁ ଏହା ଏକ ଛୋଟିଆ ଧାଡ଼ି। ମଣିଷ ପାଇଁ ନିଜର କର୍ତ୍ତବ୍ୟ ହିଁ ଶ୍ରେଷ୍ଠ ବୋଲି କୁହାଯାଏ। ନିଜର କର୍ତ୍ତବ୍ୟନିଷ୍ଠା ନିମନ୍ତେ ଏବେ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି କଟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଏସ୍‌ଆଇ ନାରାୟଣ ମହାରଣା। ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରି ୨ଘଣ୍ଟା ଭିତରେ ଫେରି ପୁର୍ନବାର କାର୍ଯ୍ୟରେ ଯୋଗଦେଇଥିବା ଏସ୍‌ଆଇ ନାରାୟଣଙ୍କୁ ଏବେ ବିଭିନ୍ନ ବର୍ଗରୁ ବାଃବାଃ ମିଳୁଛି।
ନାରାୟଣଙ୍କ ଘର ଜଗତସିଂହପୁର ଜିଲା ଆଳିପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ କୋଲର ଗ୍ରାମରେ। ଗତ ୩ ତାରିଖରେ ନାରାୟଣଙ୍କ ମା’ କୁମଲତା ମହାରଣାଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ କୁମଲତା ଶଯ୍ୟାଶାୟୀ ଥିଲେ। ତେବେ ଲକଡାଉନ ଯୋଗୁ ମାଙ୍କୁ ଭେଟିବାକୁ ସୁଯୋଗ ପାଇ ନ ଥିଲେ ନାରାୟଣ। ରାତିରେ ମା’ଙ୍କ ପରଲୋକ ଘଟିଲା ବୋଲି ଖବର ପାଇଥିଲେ। ବାଇକ ଯୋଗେ ରାତିରେ ଗାଁକୁ ଫେରିଥିଲେ। ବଡ଼ ପୁଅ ହୋଇଥିଲେ ମଧ୍ୟ ପୋଲିସ କର୍ତ୍ତବ୍ୟର ବୋଝ ତାଙ୍କୁ ମୁଖାଗ୍ନି ଦେବାକୁ ଅଟକାଇଥିଲା। ମୁଖାଗ୍ନି ଦେଇଥିଲେ ଅନେକ ସାମାଜିକ କଟକଣା ଭିତରେ ତାଙ୍କୁ ଚଳିବାକୁ ପଡ଼ିଥାନ୍ତା। ରାଜ୍ୟରେ କରୋନା ସ୍ଥିତି ଲାଗି ରହିଥିବାରୁ ଏହି ସାମାଜିକ କଟକଣାକୁ ସାମ୍ନା କରିବା ଅସହଜ ବୋଲି ନାରାୟଣ କହିଥିଲେ। ଫଳରେ ତାଙ୍କ ସାନଭାଇ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସରିବା ବେଳକୁ ରାତି ୩.୩୦। ସକାଳ ୬ଟାରେ ନାରାୟଣଙ୍କୁ ସତୀଚଉରା ଛକରେ ଡ୍ୟୁଟିରେ କରିବାକୁ ନିର୍ଦ୍ଦେଶ ଥିଲା। ଏଣୁ ଶେଷକୃତ୍ୟ ସରିବା ମାତ୍ରେ ସେ କଟକ ଫେରି ଆସି କାର୍ଯ୍ୟରେ ଯୋଗ ଦେଇଥିଲେ। ମା’ଙ୍କ ମୃତ୍ୟୁକୁ ୭ ଦିନ ବିତିଲାଣି। ଏବେ ଖାଇବା ପିଇବାରେ ଅନେକ ଅସୁବିଧା ହେଉଛି ବୋଲି ନାରାୟଣ କହିଛନ୍ତି। ସେ ଆହୁରି କହଛନ୍ତି ଯେ, ଆଗେ ରାଜ ସେବା, ପଛେ ପିତୃ ସେବା। ରାଜ ମାନେ ରାଜ୍ୟ । ରାଜ୍ୟରେ ସ୍ଥିତି ଏବେ ଭଲ ନାହିଁ। ପୋଲିସ ମୁଣ୍ଡରେ ଅଧିକ ବୋଝ । ଏଭଳି ସ୍ଥିତିରେ ଘରେ ଚୁପଚାପ ବସି ପାରି ନ ଥାନ୍ତି । ଓଡ଼ିଶା ତଥା ଏହି ଜନ୍ମମାଟି ମଧ୍ୟ ମୋ ମା’। ଜନ୍ମଦାତ୍ରୀଙ୍କୁ ସିନା ଶେଷ ସମୟରେ ଦେଖି ପାରିଲିନି, ହେଲେ ଯାହା ଛାତିରେ ଛିଡ଼ା ହୋଇଛି ତାକୁ ମରଣ ମୁହଁକୁ ଠେଲି ପାରିବିନି। ଏବେ ଯାହା ସମସ୍ୟା ହେଉଛି, ସେସବୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ମା’ଙ୍କ ଦଶାହ ଓ ଏକାଦଶାହ କର୍ମରେ ଯୋଗଦେବେ ବୋଲି ନାରାୟଣ କହିଥିଲେ।