କରୋନା ମାଡ: ଆର୍ଥିକ ସହାୟତା ଦାବି କଲା ବାରିକ ସମିତି

ଭବାନୀପାଟଣା, ୧୮।୪(ସ୍ବ.ପ୍ର.): କରୋନା ଯୋଗଁୁ ମାର୍ଚ୍ଚ ୨୪ ମାର୍ଚ୍ଚଠାରୁ ସାରାଦେଶରେ ଲକ୍‌ଡାଉନ ଜାରିରହିଛି। ଯାହାଫଳରେ ଅନେକ ଲୋକ ଏବେ ନିଜ ଜୀବିକା ହରାଇ ବସିଛନ୍ତି। କାମ କରି ପରିବାର ଚଳଉଥିବା ଉକ୍ତ ଲୋକମାନଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାରିକ ସମ୍ପ୍ରଦାୟର ଲୋକଙ୍କ କ୍ଷେତ୍ରରେ। ଲକ୍‌ଡାଉନ ଯୋଗଁୁ କଳାହାଣ୍ଡି ଜିଲାର ସମସ୍ତ ସେଲୁନ, ବ୍ୟୁଟିପାର୍ଲର ବନ୍ଦ ରହିଛି। ଗଁା ଗହଳିରେ ବାସ କରୁଥିବା ବାରିକମାନେ ମଧ୍ୟ କୌଳିକ ବୃତ୍ତିରୁ ବିରତ ରହିଛନ୍ତି। ତେଣୁ ଜିଲାରେ ବସବାସ କରୁଥିବା ପ୍ରାୟ ୩୫ହଜାରରୁ ଊର୍ଦ୍ଧ୍ୱ ବାରିକ ନିଜର ଜୀବିକା ହରାଇଛନ୍ତି। ଅନେକ କେବଳ କୌଳିକ ବୃତ୍ତି ଅବଳମ୍ବନ କରି ଗୁଜୁରାଣ ମେଣ୍ଟାଉଥିବାରୁ ଗତ ୪ ସପ୍ତାହ ହେବ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ରାଶନ କାର୍ଡଧାରୀ, ନିର୍ମାଣ ଶ୍ରମିକଙ୍କ ପରି ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଖିଳ ଉତ୍କଳ ବାରିକ ସମିତି କଳାହାଣ୍ଡି ପକ୍ଷରୁ ଦାବି କରାଯାଇଛି। ଏ ନେଇ ଏକ ଦାବିପତ୍ର କଳାହାଣ୍ଡି ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।