କରୋନା ମାଡ଼ରେ ବେପାର ମାନ୍ଦା

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛିା ହାଟ, ବଜାର, ସଭା ସମିତିକୁ ନ ଯିବାକୁ ବାରଣ କରାଯାଉଛି। ଦେଶର ବିଭିନ୍ନ ରାଜ୍ୟରେ ଏବେ ହାଟ, ବଜାର, ମଲ୍‌ ବନ୍ଦ ହୋଇଯାଇଥିବା ବେଳେ ଅଧିକାଂଶ ଲୋକେ ଗହଳି ସ୍ଥାନକୁ ଯଥାସମ୍ଭବ ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ଯାହାର,ସ୍ପଷ୍ଟ ଚିତ୍ର ଭୁବନେଶ୍ୱରର ସବୁଠୁ ଜନଗହଳି ସ୍ଥାନ କୁହାଯାଉଥିବା ୧ ନମ୍ବର ମାର୍କେଟ, ୨ ନମ୍ବର ମାର୍କେଟ ବିଲ୍ଡିଂ, ଜନପଥ ଏବଂ ଜୟଦେବ ବିହାର ରୋଡ଼ରେ ଥିବା ମଲ୍‌ଗୁଡ଼ିକରେ ବାରି ହୋଇପଡ଼ିଛି। ଦିନରେ ହାତଗଣତି ଲୋକଙ୍କୁ ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟାରେ ପୂର୍ବ ପରି ଭିଡ଼ ଜମୁନି। ଫଳରେବେପାର ଉପରେ ଏବେ କରୋନା ଚଡ଼କ ପଡ଼ିଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି।
ୟୁନିଟ ୧ ହାଟରେ ପରିବା ବ୍ୟବସାୟୀ ଜଗନ୍ନାଥ ଦାସ କହିଛନ୍ତି, ଆଗ ଭଳି ଆଉ ଲୋକ ଆସୁ ନାହଁାନ୍ତି, ଭିଡ଼ କମିଛି। ହାଟର କିଛି ବ୍ୟବସାୟୀ ମଧ୍ୟ ଦୋକାନ ବନ୍ଦ୍‌ କରିଦେଲେଣି। ଆଗକୁ ୩୧ ତାରିଖ ଯାଏ ମାର୍କେଟ ବନ୍ଦ ହେବ ବୋଲି ଶୁଣିବାକୁ ମିଳୁଛି। ପରିବା ବେପାର ହେଉଛି ସବୁଦିନିଆ ବେପାର, ବିକ୍ରି ହେଲେ ଦି ପଇସା ମିଳିବ, ନହେଲେ ନାହିଁ। ଲୋକ ନଆସିବା ଫଳରେ ପରିବା ପଚୁଛି ବୋଲି ସେ କହିଛନ୍ତି।
ସେହିପରି ୟୁନିଟ୍‌ ୧ ହାଟରେ ଲୁଗା ଦୋକାନୀ ଅଞ୍ଜନ ପରିଡ଼ା କୁହନ୍ତି, କରୋନାରେ ସଂକ୍ରମିତ ହେବା ଅପେକ୍ଷା ଦୋକାନ ବନ୍ଦ କରିଦେବା ଭଲ। ବର୍ତ୍ତମାନ ଯାଏ ଦୋକାନ ବଜାର ବନ୍ଦ କରିବାକୁ କିଛି ନିର୍ଦ୍ଦେଶ ଆସିନି, ଯଦି ଆସେ ତାହେଲେ ଆମେ ଦୋକାନ ବନ୍ଦ କରିବୁ। ପଇସା ପାଇଁ ଦୋକାନ ଖୋଲି ରୋଗ କିଣି ଲାଭ କଣ ବୋଲି ସେ କହିଛନ୍ତି।
ଅନୂରୁପ ଭାବେ ଜୟଦେବ ବିହାର ଓ ଜନପଥରେ ଥିବା ମଲ୍‌ଗୁଡ଼ିକରେ ମଧ୍ୟ ଜନ ସମାଗମ ହ୍ରାସ ପାଇଛି। ବହୁତ୍‌ କମ୍‌ ମାତ୍ରାରେ ଲୋକେ ମଲ୍‌କୁ ସପିଂ କରିବାକୁ ଯାଉଛନ୍ତି। ଯେ କେହି ବି ମଲ୍‌ ଯାଉଛନ୍ତି, ସତର୍କତା ଅବଲମ୍ବନ କରି ମୁହଁରେ ମାସ୍କ ପିନ୍ଧି ଯାଉଥିବାର ଦେଖିବାକୁ ମିଳିଛି। ଏପରିକି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌, ରାଜମହଲ, ଏଜି, କିଟ୍‌ ଛକ, ନୟାପଲ୍ଲୀ ଭଳି ଜନସମାଗମ ଅଞ୍ଚଳରେ ମଧ୍ୟ ରାସ୍ତାରେ ଭିଡ଼ ହ୍ରାସ ପାଇଛି। ଫଳରେ ଅସ୍ଥାୟୀ ତଥା ଉଠା ଦୋକାନୀଙ୍କ ବେପାରରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି।