କରୋନା ମହାମାରୀ-ଶ୍ରମିକ ଦୁର୍ଦ୍ଦଶା

କିଶୋର ଜେନା

କରୋନାଜନିତ ମହାମାରୀ ପରିସ୍ଥିତି ଭିତରେ ବିଶ୍ୱର ବିଭିନ୍ନ ଦେଶ ଅର୍ଥନୀତିର ପୁନର୍ଗଠନରେ ଶ୍ରମିକମାନଙ୍କର କଲ୍ୟାଣ ଓ ସୁରକ୍ଷାକୁ ଯଥାସମ୍ଭବ ରକ୍ଷାକରିବାର ଉଦ୍ୟମ କରୁଥିବାବେଳେ, ଠିକ୍‌ ସେହି ସମୟରେ ଭାରତ ସରକାର ବିପରୀତ ପଥରେ ଶ୍ରମିକ ଛଟେଇକୁ ଅବାଧ କରି ସେମାନଙ୍କର ସାମାଜିକ ସୁରକ୍ଷାକୁ କାଟଛାଣ୍ଟ କରିବାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। କରୋନା ସଂକ୍ରମଣକୁ ରୋଧକରିବା ପାଇଁ ବିଶ୍ୱ ସାରା ଲକ୍‌ଡାଉନ୍‌ରେ ଅଗତ୍ୟା ପଡ଼ିବା ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଶ୍ରମିକଶ୍ରେଣୀ। ବିପର୍ଯ୍ୟସ୍ତ ଅର୍ଥନୀତିର ପୁନର୍ଗଠନରେ ଭାରତରେ କେତେକ ରାଜ୍ୟରେ ଶ୍ରମ ଆଇନର ତଥାକଥିତ ସୁଧାର ନାମରେ ଶ୍ରମିକମାନଙ୍କର ସଂଗ୍ରାମଲବ୍ଧ କଷ୍ଟୋପାର୍ଜିତ ଅଧିକାରକୁ ଛଡ଼େଇ ନେବାର ନିର୍ଦ୍ଦେଶ ଜାରି କରାଯାଇଛି। ଅର୍ଥନୀତିର ପୁନରୁଦ୍ଧାର କଥା କହି ଶ୍ରମ ଆଇନକୁ କାର୍ଯ୍ୟତଃ ଉଠାଇଦେଇ ଦେଶରେ ଦାସପ୍ରଥା ଚାଲୁ କରିବାକୁ ଚାହାନ୍ତି ସରକାର। ଭାରତବର୍ଷର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କର୍ମଚାରୀ ସଂଗଠନ ଏହି ନୀତିର ବିରୋଧ କରିଛନ୍ତି।
ସଂପ୍ରତି ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ଶିଳ୍ପ ପୁନର୍ଗଠନ ସମ୍ପର୍କରେ ଆଲୋଚନା ଲାଗି ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ସହ ବୈଠକରେ ମିଳିତ ହୋଇଥିଲେ କର୍ପୋରେଟ୍‌ ସଂସ୍ଥାମାନେ। କର୍ପୋରେଟ୍‌ମାନେ ଶିଳ୍ପକୁ ସତେଜ କରିବା ପାଇଁ ଦେଶରେ ଥିବା ସମସ୍ତ ଶ୍ରମ ଆଇନକୁ ଉଠାଇନେବା ସହିତ କାର୍ଯ୍ୟ ନିର୍ଘଣ୍ଟକୁ ବଢ଼ାଇବା ପାଇଁ ଏକ ପ୍ରସ୍ତାବ ଶ୍ରମମନ୍ତ୍ରୀଙ୍କୁ ଦେଇଛନ୍ତି। ସେହି ପ୍ରସ୍ତାବକୁ ଗ୍ରହଣ କରି ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଇତିମଧ୍ୟରେ ଶ୍ରମ ଆଇନ ସାମୟିକଭାବେ ଉଠାଇନେବାର ଅଧ୍ୟାଦେଶ ଜାରି କରାଯାଇଛି। କର୍ପୋରେଟ୍‌ମାନେ ପ୍ରସ୍ତାବ ଦେଇଥିବା ଏକ ସପ୍ତାହ ମଧ୍ୟରେ ଉତ୍ତର ପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶ ସରକାର ଶ୍ରମ ଆଇନର ବିଲୋପ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି। କର୍ପୋରେଟ୍‌ମାନଙ୍କ ପ୍ରସ୍ତାବରେ ଯାହା ସବୁ କୁହାଯାଇଥିଲା, ସେଗୁଡ଼ିକହେଲା ଦେଶର ସମସ୍ତ ଶ୍ରମ ଆଇନକୁ ତିନିବର୍ଷ ପର୍ଯ୍ୟନ୍ତ ଉଠାଇଦେବା ଏବଂ ଶିଳ୍ପଗୁଡ଼ିକର ଆର୍ଥିକ ଅବସ୍ଥା ଦୃଷ୍ଟିରୁ ଶ୍ରମିକମାନଙ୍କ ମଜୁରି ଅଲଗା ନ ଦେଇ କର୍ପୋରେଟ୍‌ ସାମାଜିକ ସାହାଯ୍ୟ (ସିଏସ୍‌ଆର୍‌)ରୁ ଦିଆଯିବାର ବ୍ୟବସ୍ଥା କରିବା। ଉଲ୍ଲେଖ କରାଯାଇପାରେ ଯେ, ବତ୍ତର୍ର୍ମାନ ପ୍ରଚଳିତ ଆଇନ ଅନୁସାରେ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ତାଙ୍କ ଲାଭର ମାତ୍ର ୨ପ୍ରତିଶତ ସିଏସ୍‌ଆର୍‌ ଖର୍ଚ୍ଚ କରିବାକୁ ପଡ଼ିଥାଏ। ସିଏସ୍‌ଆର୍‌ର ବରାଦ ଅର୍ଥ ନାମରେ ଲାଭର ମାତ୍ର ୨ପ୍ରତିଶତ ଅର୍ଥକୁ ଖର୍ଚ୍ଚ ନ କରି ମଜୁରି ମଧ୍ୟରେ ରଖିବାର ଯେଉଁ ପ୍ରସ୍ତାବ ଦିଆଯାଇଛି ସେଥିରେ ବର୍ତ୍ତମାନର ପ୍ରଚଳିତ ମଜୁରି ବ୍ୟବସ୍ଥାକୁ ଉଠାଇ ନେବାକୁ କୁହାଯାଇଛି। ଶ୍ରମିକମାନଙ୍କ ଛଟେଇକୁ ଅବାଧ କରିବା, ଶିଳ୍ପରେ ଶ୍ରମିକ ସଂଖ୍ୟା କମାଇ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ ୩୩ରୁ ୫୦ ପ୍ରତିଶତକୁ ହ୍ରାସ କରିବା ସହ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କରିବାର ପ୍ରସ୍ତାବ ଦିଆଯାଇଛି, ଯାହାଫଳରେ ନୂତନ ନିଯୁକ୍ତିର ସମ୍ଭାବନା ହ୍ରାସ ପାଇବ। ସପ୍ତାହରେ ୪୮ଘଣ୍ଟା ବଦଳରେ ୭୨ଘଣ୍ଟା କାର୍ଯ୍ୟ କରିବାକୁ ହେବ। ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନା ପ୍ରକଳ୍ପରେ ୧୫ହଜାର ଟଙ୍କାରୁ କମ୍‌ ଆୟ କରୁଥିବା ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଏହି ସୀମାକୁ ଉଠାଇ ଦେବାକୁ ପ୍ରସ୍ତାବରେ କୁହାଯାଇଛି। ଅର୍ଥାତ୍‌ ସାମାଜିକ ସୁରକ୍ଷା ପାଇଁ ଶିଳ୍ପ ସଂସ୍ଥାମାନେ ଯାହା ବ୍ୟୟ କରୁଥିଲେ, ତାହାକୁ ସରକାର ବହନ କରିବାକୁ ଶିଳ୍ପ ଜଗତର ପ୍ରସ୍ତାବ। ଶିଳ୍ପକୁ ବିଦ୍ୟୁତ୍‌ ଯୋଗାଣରେ ମଧ୍ୟ ରିହାତି ପ୍ରଦାନ କରିବାକୁ କୁହାଯାଇଛି। ଏହା ସାଙ୍ଗକୁ ଶିଳ୍ପ ସହିତ ସଂପୃକ୍ତ ପ୍ରବାସୀ ଶ୍ରମିକଙ୍କର ଯାତାୟାତ ଖର୍ଚ୍ଚ ଓ ଖାଇବା ଖର୍ଚ୍ଚ ସବୁ ସରକାର ବହନ କରିବା ସହିତ ଶିଳ୍ପରେ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଖର୍ଚ୍ଚ ମଧ୍ୟ କମାଇବାକୁ ଉକ୍ତ ପ୍ରସ୍ତାବରେ କୁହାଯାଇଛି।
କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ପାଖରେ କର୍ପୋରେଟ୍‌ ସଂସ୍ଥାମାନେ ସେମାନଙ୍କର ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ଇତି ମଧ୍ୟରେ ଉତ୍ତର ପ୍ରଦେଶ ସରକାର, ମଧ୍ୟ ପ୍ରଦେଶ ସରକାର ଅଧ୍ୟାଦେଶ ଜାରି କରିଦେଇଛନ୍ତି ଏବଂ ଗୁଜରାଟ ମନ୍ତ୍ରିମଣ୍ଡଳରେ ମଧ୍ୟ ଅଧ୍ୟାଦେଶ ଜାରି କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହି ନିଷ୍ପତ୍ତିରେ କୁହାଯାଇଛି, ଅଧ୍ୟାଦେଶ ଜାରି କରାଯିବା ଦିନଠାରୁ ୧୨୦୦ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶ୍ରମ ଆଇନରୁ ଶିଳ୍ପ ସଂସ୍ଥାମାନେ ଛାଡ଼ ପାଇବେ। କାମ କରିବାର ସମୟ ସୀମା ୮ଘଣ୍ଟାରୁ ୧୨ ଘଣ୍ଟାକୁ ଏହି ସବୁ ରାଜ୍ୟରେ ବୃଦ୍ଧି କରାଯାଇଛି। ଅତିରିକ୍ତ ୪ ଘଣ୍ଟା କାର୍ଯ୍ୟ କଲେ ମଧ୍ୟ ଶ୍ରମିକଙ୍କୁ ଓଭରଟାଇମ୍‌ ବା ଅଧିକ ସମୟ ପାଇଁ ଅଧିକ ମଜୁରି ମିଳିବ ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ଅଧ୍ୟାଦେଶରେ ଶିଳ୍ପରେ ଛଟେଇକୁ ଅବାଧ କରାଯାଇଛି। ସେଠାରେ ୧୦୦୦ ଦିନ ପର୍ଯ୍ୟନ୍ତ ଅଧ୍ୟାଦେଶ ଚାଲୁରହିବ। ଉଭୟ ଗୁଜରାଟ ଓ ଉତ୍ତର ପ୍ରଦେଶରେ ଛଟେଇ ପୂର୍ବରୁ ନୋଟିସ ଦେବାର ଆବଶ୍ୟକତାକୁ ଉଠାଇ ଦିଆଯାଇଛି। କର୍ନାଟକ ସରକାରଙ୍କ ଶ୍ରମ ସଚିବ ଅନୁରୂପଭାବରେ ବ୍ୟବସ୍ଥା କରିବାକୁ ଉକ୍ତ ରାଜ୍ୟ ସରକାର ବିଚାର କରୁଥିବା ପ୍ରକାଶ କରିଛନ୍ତି।
ଶ୍ରମ ଆଇନରେ ଥିବା କାର୍ଯ୍ୟ ନିର୍ଘଣ୍ଟ ସମୟ ସୀମା ୮ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧିର ଅର୍ଥ ସପ୍ତାହକୁ ୪୮ଘଣ୍ଟା ପରିବର୍ତ୍ତ ୭୨ ଘଣ୍ଟା କାର୍ଯ୍ୟ କରିବା ପାଇଁ ଉପର ଲିଖିତ ରାଜ୍ୟଗୁଡ଼ିକ ସମେତ ଇତିମଧ୍ୟରେ ହରିୟାଣା, ଓଡ଼ିଶା, ରାଜସ୍ଥାନ ଓ ପଞ୍ଜାବ ମଧ୍ୟ ଘୋଷଣା କରିଛନ୍ତି। କିନ୍ତୁ ଏହି ରାଜ୍ୟମାନଙ୍କରେ ଅତିରିକ୍ତ ୪ ଘଣ୍ଟା କାର୍ଯ୍ୟ ପାଇଁ ଓଭରଟାଇମ୍‌ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଛଅଘଣ୍ଟା ପରେ ଏକଘଣ୍ଟାର ବିରତି ହିସାବକୁ ନେଲେ ଶ୍ରମିକଙ୍କୁ କମ୍ପାନୀରେ ଦୈନିକ ୧୩ଘଣ୍ଟା ସର୍ବମୋଟ ରହିବାକୁ ପଡ଼ିବ।
ସରକାରଙ୍କ ଯୁକ୍ତି ହେଉଛି, ଏହାଦ୍ୱାରା ଶିଳ୍ପରେ ବିନିଯୋଗ ବଢ଼ିବ, ଶିଳ୍ପ ସଂସ୍ଥା ସତେଜ ହେବ ଏବଂ କର୍ମ ସଂସ୍ଥାନ ବୃଦ୍ଧି ପାଇବ। କିନ୍ତୁ ଅଭିଜ୍ଞତା ହେଉଛି ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରେ ପୂର୍ବରୁ ଶ୍ରମ ଆଇନକୁ କୋହଳ କରାଯାଇ ଶିଳ୍ପର ମାଲିକମାନଙ୍କୁ ସୁହାଇବା ଭଳି ପଦକ୍ଷେପମାନ ଗ୍ରହଣ କରାଯାଇଥିଲେ ମଧ୍ୟ ଏସବୁ ରାଜ୍ୟରେ ପୁଞ୍ଜି ନିବେଶ ବଢ଼ିନାହିଁ। ଓଲଟି ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଥିବା ଆଇନ ଦୁର୍ବଳ ହେବା ସହିତ ସାମାଜିକ ସୁରକ୍ଷା ହ୍ରାସ ପାଇଛି।
୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ସନନ୍ଦରେ ରହିଛି। ଭାରତ ମଧ୍ୟ ଏହି ସନନ୍ଦରେ ସ୍ବାକ୍ଷର କରିଛି। ସେହି ସନନ୍ଦକୁ ଉଲ୍ଲଂଘନ କରୁଛନ୍ତି ଏବେ ସରକାର। କୁହାଯାଉଛି ଯେ, ଶ୍ରମ ଆଇନ ଗୁଡ଼ିଏ ଥିବାରୁ ଶ୍ରମିକମାନଙ୍କୁ ନେଇ ଶିଳ୍ପ ପରିଚାଳନା କରିବାରେ ସମସ୍ୟା ହେଉଛି। କିନ୍ତୁ ବାସ୍ତବତା ହେଉଛି ଦେଶର ଅର୍ଦ୍ଧାଧିକ ଶ୍ରମିକ ହେଉଛନ୍ତି ଠିକା ଓ ସାମୟିକ ଶ୍ରମିକ। ସେମାନଙ୍କ କାର୍ଯ୍ୟସ୍ଥଳରେ ନିରାପତ୍ତା ନାହିଁ କି ସେମାନଙ୍କ ସାମାଜିକ ସୁରକ୍ଷା କିଛି ନାହିଁ କହିଲେ ଚଳେ। ଅବାଧରେ ଏମାନଙ୍କୁ କାମରୁ ବାହାରକରି ଦିଆଯାଉଛି। ଶିଳ୍ପରେ ମାନ୍ଦାବସ୍ଥା ଦେଖା ଦେଇଥିବାରୁ କରୋନା ଜନିତ ପରିସ୍ଥିତି ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ଶିଳ୍ପକ୍ଷେତ୍ରରେ ବିନିଯୋଗ ବୃଦ୍ଧି ପାଇଁ ସରକାର ୧ଲକ୍ଷ ୨୦ ହଜାର କୋଟି ଟଙ୍କାର କରଛାଡ଼ କରିଥିଲେ। ବ୍ୟାଙ୍କମାନଙ୍କ ଋଣର ସୁଧହାର ବାରମ୍ବାର ହ୍ରାସ ମଧ୍ୟ କରାଯାଇଥିଲା। ଏସବୁ ସତ୍ତ୍ୱେ ଶିଳ୍ପକ୍ଷେତ୍ରରେ ପୁଞ୍ଜି ନିବେଶ ବଢ଼ି ନ ଥିଲା। ଏବେ ମଧ୍ୟ କରୋନା ଯୋଗୁ ଉଦ୍ଭବ ପରିସ୍ଥିତିର ମୁକାବିଲା ପାଇଁ ଶିଳ୍ପ କ୍ଷେତ୍ରକୁ ସରକାର ପ୍ରୋତ୍ସାହନ ଦେଇଛନ୍ତି। ପୁଣି ବ୍ୟାଙ୍କ ଋଣର ସୁଧହାର ହ୍ରାସ କରାଯାଇଛି।
କେନ୍ଦ୍ର ସରକାର ଲକ୍‌ଡାଉନର ମୁକାବିଲା ପାଇଁ ଯେଉଁ ଅର୍ଥନୈତିକ ପୁନର୍ଗଠନର ପଥ ଗ୍ରହଣ କରିଛନ୍ତି, ତାହା ଠିକ୍‌ ନୁହେଁ। ପୃଥିବୀର ବହୁ ଦେଶରେ ଶ୍ରମିକଙ୍କର ଯେପରି କମ୍‌ କ୍ଷତି ହେବ, ସେଥିପାଇଁ ଯତ୍ନଶୀଳ ହୋଇଛନ୍ତି। ଭାରତରେ ଏହାର ସମ୍ପୂର୍ଣ୍ଣ ଓଲଟା। ଛଟେଇ, ତାଲାବନ୍ଦ କରାଯାଇ କର୍ମ ସଂକୋଚନ କରିବାକୁ ବିଭିନ୍ନ ଦେଶରେ ଏକପ୍ରକାର ନିଷିଦ୍ଧ କରାଯାଇଛି କରୋନା ମହାମାରୀ ସମୟରେ। ଶ୍ରମିକମାନଙ୍କୁ ମଜୁରି ଦେବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁଦାନ ଦିଆଯାଉଛି। କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ୟୁରୋପର ଦେଶଗୁଡ଼ିକ ଉତ୍ତମ ମଜୁରି ପ୍ରଦାନ ଉଦ୍ଦେଶ୍ୟରେ ଉଦ୍ୟୋଗଗୁଡ଼ିକୁ ଭଲ ପରିମାଣର ଅନୁଦାନ ସଂପୃକ୍ତ ଦେଶର ସରକାରମାନେ ଦେଉଛନ୍ତି। ଶିଳ୍ପରେ ଯେପରି ଛଟେଇ ନ ହୁଏ, ସେଦିଗ ପ୍ରତି ଦୃଷ୍ଟି ଦିଆଯାଇ ବିକାଶଶୀଳ ଦେଶ ବାଂଲାଦେଶ, ବର୍ସିନିୟା, ଫିଲିପାଇନ୍ସ, ମାଲେସିଆ, ଚାଇନା, ଦକ୍ଷିଣ ଆଫ୍ରିକା, ଥାଇଲାଣ୍ଡ, ଭିଏଟ୍‌ନାମ, ତୁରସ୍କ ଇତ୍ୟାଦି ଦେଶରେ ବତ୍ତର୍ର୍ମାନର ସଙ୍କଟ ପରିସ୍ଥିତିରେ ଶ୍ରମିକଙ୍କ ସ୍ବାର୍ଥ ପ୍ରତି ବେଶ୍‌ ସଚେତନ। କିନ୍ତୁ ବିକାଶଶୀଳ ଦେଶ ମଧ୍ୟରେ ଭାରତ ଏବଂ ବିକାଶୋନ୍ମୁଖୀ ଦେଶ ମଧ୍ୟରେ ଆମେରିକାରେ ସ୍ପଷ୍ଟ ବ୍ୟତିକ୍ରମ ଦେଖାଦେଇଛି। ଏହି ଦୁଇଦେଶରେ ଶ୍ରମିକଙ୍କ ଦୁର୍ଦ୍ଦଶା ସମୟରେ ଶ୍ରମିକ ଶ୍ରେଣୀ ହିତରେ ନୁହେଁ, କର୍ପୋରେଟ୍‌ ସ୍ବାର୍ଥକୁ ଆଗରେ ରଖି ଶ୍ରମିକମାନଙ୍କ ଅଧିକାରକୁ ସଙ୍କୁଚିତ କରାଯାଉଛି।
ପ୍ରସଙ୍ଗତଃ ଗତବର୍ଷଠାରୁ କେନ୍ଦ୍ର ସରକାର ଭାରତରେ ପ୍ରଚଳିତ ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ କରି ଚାରୋଟି ଶ୍ରମ କୋଡ୍‌ ପ୍ରଚଳନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମଜୁରି କୋଡ୍‌ ବିଲ୍‌ ସଂସଦରେ ପାରିତ ହୋଇଯାଇଛି। ଅନ୍ୟ ତିନୋଟି ଶ୍ରମ କୋଡ୍‌ ବିଲ୍‌ ସଂସଦରେ ଉପସ୍ଥାପିତ ହୋଇଛି। ଭାରତବର୍ଷର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କର୍ମଚାରୀ ସଂଗଠନ ଏହି କେଡ୍‌ ବିଲ୍‌ର ବିରୋଧକରି ଦୁଇ ଦୁଇଥର ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ଏହି ବିରୋଧ ଏବେ ମଧ୍ୟ ଜାରି ରହିଛି।
ବର୍ତ୍ତମାନର କରୋନା ମହାମାରୀ ଜାରି ରହିଥିବା ପରିସ୍ଥିତି ଓ ଲକ୍‌ଡାଉନ୍‌ର ସୁଯୋଗ ନେଇ କେନ୍ଦ୍ର ସରକାର ପ୍ରଚଳିତ ଶ୍ରମ ଆଇନଗୁଡ଼ିକୁ ଉଠାଇଦେଇ ପର୍ଯ୍ୟାୟକ୍ରମେ ଶ୍ରମିକ ବିରୋଧୀ କୋଡ୍‌ ବିଲ୍‌ଗୁଡ଼ିକୁ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରିବାର କୌଶଳ ଅବଲମ୍ବନ କରୁଛନ୍ତି। ଶ୍ରମିକ ଓ ଶ୍ରମିକ ସଂଗଠନଗୁଡ଼ିକୁ ସରକାର ବିଶ୍ୱାସକୁ ନେଉନାହାନ୍ତି। ଶ୍ରମ ଆଇନଗୁଡ଼ିକୁ ୧୦୦୦ରୁ ୧୨୦୦ ଦିନ ପର୍ଯ୍ୟନ୍ତ ଲାଗୁ ନ କରିବା ସହ କାମକରିବାର ସମୟକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି ଅନେକ ରାଜ୍ୟ ସରକାର। କରୋନା ମହାମାରୀ ସମୟରେ କର୍ପୋରେଟ୍‌ ମହଲ ଯାହା ଚାହୁଁଥିଲେ, ତାକୁ ଅନାୟାସରେ କାର୍ଯ୍ୟକାରୀ କରାଯାଉଛି। ଏହା ଆନ୍ତର୍ଜାତିକ ଶ୍ରମ ସଂଗଠନ ସନନ୍ଦର ସମ୍ପୂର୍ଣ୍ଣ ବିରୋଧାଚରଣ।

ଉତ୍କଳମଣି ମାର୍ଗ,
ଅପର୍ଣ୍ଣାନଗର,ଚାଉଳିଆଗଞ୍ଜ,କଟକ
ମୋ: ୯୪୩୭୩୮୪୮୬୭
Email: jenakishorchandra@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri