କରୋନା ଭୟ: ଗାଁ ରାସ୍ତାରେ ପଡ଼ିଲା ବାଡ଼

ଏରସମା, ୨୯।୩ (ସ୍ବ.ପ୍ର.)-ମହାମାରୀ କରୋନା ସଂକ୍ରମଣ ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଭାରତରେ ଅଦ୍ୟାବଧି ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ସଂକ୍ରମଣ ରୋକିବା ପାଇଁ ସଂଗରୋଧ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମନେ କହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାରାଦେଶକୁ ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି। ତେବେ କେତେକ ଗ୍ରାମରେ ମଧ୍ୟ କରୋନା ସଂକ୍ରମଶ ରୋକିବା ସକାଶେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ଦେଖାଯାଉଛି। ନାଉଗଁା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକେ ଏଥିପାଇଁ ଗ୍ରାମରାସ୍ତାରେ ବାଡ଼ ପକାଇ ସର୍ବସାଧାରଣ ପ୍ରବେଶ ଉପରେ ରୋକ ଲଗାଇଥିବା ଦେଖାଯାଇଛି। ବାହାର ଲୋକେ ଯେପରି ଗଁାକୁ ପ୍ରବେଶ ନ କରନ୍ତି ଓ ଗାଁ ଲୋକେ ବାହାରକୁ ନଯିବା ଉପରେ ବିଶେଷ ସଚେତନତା ସୃଷ୍ଟି କରାଯାଉଛି। ବିଶେଷ କରି ମଣିକୁଣ୍ଡଳ, ଦେଉଳୀ, କାଣିପଦା, ପୋଖରିଆପଡା, ଭଜନା, ଶରବା, ରବା ପାଟ, କାଙ୍କଣ, ଆମ୍ବିକି ପ୍ରଭୃତି ଗ୍ରାମରେ ଲୋକମାନେ ଗାଁମୁଣ୍ଡରେ ବାଡ଼ ପକାଇ ରାସ୍ତା ବନ୍ଦ କରିଥିବା ଦେଖାଯାଇଛି। କରୋନା ସଂକ୍ରମଣ ରୋକିବାକୁ ହେଲେ ଲୋକମାନେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ସ୍ଲୋଗାନ ଦେଇ ଲୋକମାନେ ଗ୍ରାମବାସୀଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି।