କରୋନା ଭୟରେ ପୋଷା ଜନ୍ତୁଙ୍କୁ ପରିତ୍ୟାଗ ନ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ଭୟରେ ରାଜ୍ୟରେ କିଛି ଲୋକ ନିଜ ପୋଷା ତଥା ଗୃହପାଳିତ ଜୀବଜନ୍ତୁଙ୍କୁ ଘରୁ ବାହାର କରିଦେଉଛନ୍ତି। ଏହି ନିରୀହ ପଶୁମାନେ ଖାଦ୍ୟ, ପାନୀୟ ଓ ଆଶ୍ରୟ ଠିକ୍‌ ଭାବରେ ପାଉନାହାନ୍ତି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣରେ କୁକୁର ଓ ବିରାଡ଼ିଙ୍କ ପରି ପୋଷା ଜନ୍ତୁଙ୍କର କୌଣସି ଭୂମିକା ନାହିଁ। ତେଣୁ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନ କରିବା ପାଇଁ ରାଜ୍ୟ ସରକାର ଗୃହ ମାଲିକଙ୍କୁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍‌-୧୯ କେବଳ ମନୁଷ୍ୟ ଦ୍ୱାରା ସଂକ୍ରମିତ ହେଉଥିବା ଭୂତାଣୁ। ପୋଷା ଜୀବଜନ୍ତୁଙ୍କ ଦ୍ୱାରା କରୋନା ଭୂତାଣୁ ସଂକ୍ରମିତ ହେବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ତେଣୁ ପୋଷା ଜୀବଜନ୍ତୁ ତଥା ଗୃହପାଳିତ ପ୍ରାଣୀମାନଙ୍କୁ କରୋନା ଭୟରେ ପରିତ୍ୟାଗ କରିବାର କୌଣସି ଯଥାର୍ଥତା ନାହିଁ। ଏହା ବ୍ୟତୀତ ଏପରି କାର୍ଯ୍ୟ ପ୍ରାଣୀମଙ୍ଗଳର ବିରୁଦ୍ଧାଚରଣ କରୁଛି। ତେଣୁ କରୋନା ପାଇଁ ପୋଷା ଓ ଗୃହପାଳିତ ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନ ନ କରିବା ପାଇଁ କୁହାଯାଇଛି। ପୋଷା ଜୀବଜନ୍ତୁଙ୍କ ପ୍ରତି ସର୍ବଦା ଅନୁକୂଳ ବ୍ୟବହାର ପ୍ରଦର୍ଶନ କରିବା, ଠିକ୍‌ ସମୟରେ ଖାଦ୍ୟପାନୀୟ ଦେବା, ସେମାନଙ୍କ ମଳମୂତ୍ର ପରିଷ୍କାର କରିବା ପରେ ସମ୍ପୃକ୍ତ ବ୍ୟକ୍ତି ସଂକ୍ରମଣ ପ୍ରତିରୋଧକ ଭାବରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପୋଷା ଜୀବଜନ୍ତୁଙ୍କ ସୁରକ୍ଷାର ଗୁରୁତ୍ୱ ବଜାୟ ରଖିବା ପାଇଁ ଏହି ପତ୍ରରେ ପରାମର୍ଶ ଦିଆଯାଇଛି।