କରୋନା ବେଳେ ସାହାସ ଦେଖାଇଲେ, ରକ୍ତଦାନ କଲେ

ବଲାଙ୍ଗୀର ଅଫିସ, ୨ା୪: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହାକୁ ନେଇ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ସନ୍ଦିକ୍ଷଣରେ ବହୁ ରୋଗୀ, ଗରିବ ଲୋକ, ଅସହାୟ ବୃଦ୍ଧାବୃଦ୍ଧ ଓ ଛୋଟ ଶିଶୁମାନେ ଘୋର ଅସୁବିଧାରେ ପଡିଛନ୍ତି। ବିଶେଷକରି ବିଭିନ୍ନ ରୋଗରେ ପୀଡିତ ରୋଗୀମାନେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ରକ୍ତଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ କେତେକ ରୋଗୀଙ୍କ ସ୍ଥିତି ଗମ୍ଭୀର ହୋଇପଡିଛି। କରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ବଲାଙ୍ଗୀରର କେତେକ ସ୍ବେଚ୍ଛାସେବୀ ସଙ୍ଗଠନର ଯୁବ ସ୍ବେଚ୍ଛାସେବୀ ସେମାନଙ୍କ ଉତ୍ସର୍ଗୀକୃତ ସେବାରେ ଲୋକଙ୍କ ହୃଦୟ ଜିଣି ନେଇଛନ୍ତି। ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସଦସ୍ୟ ବଲାଙ୍ଗୀର ରକ୍ତଭଣ୍ଡାରରେ ରକ୍ତ ନ ଥିବା ଜାଣିବା ପରେ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏଥିରେ ଯୁବତୀମାନେ ମଧ୍ୟ ବେଶ୍‌ ଉତ୍ସାହ ଦେଖାଇଛନ୍ତି। ଫାଉଣ୍ଡେସନ୍‌ ସଦସ୍ୟା ରୂପା ଦାସ, ରୋଜାଲିନ୍‌ ମିଶ୍ର, ସୁପ୍ତାଞ୍ଜଳି ରଣା, ଯୁବ ସ୍ବେଚ୍ଛାସେବୀ ସ୍ବାଧୀନ ମୁନି, ଅଭିଜିତ୍‌ ମିଶ୍ର, ସୁନୀଲ ସାହୁ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରଛନ୍ତି। କରୋନା ସଂକ୍ରମଣ କାଳରେ ଏହି ଯୁବତୀ, ଯୁବକମାନେ ରକ୍ତଦାନ କରି ଆଦର୍ଶ ପ୍ରତିଷ୍ଠା କରିଛନ୍ତି। ଏହି ଅନୁଷ୍ଠାନର ୫ ଜଣ ସଦସ୍ୟ ଲଗାତାର ୩ ଦିନ ହେଲାଣି ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି। ଠିକ୍‌ ସେହିପରି ବଲାଙ୍ଗୀର ୟୁଥ୍‌ ଆକ୍ସନ କମିଟି ସଦସ୍ୟମାନେ ମଧ୍ୟ ରକ୍ତ ଅଭାବ ଦୂର କରିବାକୁ ଯାଇ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି । କମିଟି ସଭାପତି ବିନୋଦ କୁମାର କାଲସାଲଙ୍କ ନେତୃତ୍ୱରେ ଅଜୟ କୁମାର ନାଗ, ଅରୁଣ ଦୋରା, ରାଜେଶ ମିଶ୍ର, ହେମ ସାଗର ବଗର୍ତ୍ତର ରକ୍ତଦାନ କରିଛନ୍ତି। ଏଭଳି କଠିନ ସମୟରେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଯୁବ ସ୍ବେଚ୍ଛାସେବୀଙ୍କୁ ସବୁ ବର୍ଗରୁ ପ୍ରଶଂସା କରାଯାଇଛି।