କରୋନା ବେଳେ ବନ୍ୟା

ଇଂ. ବିଦ୍ୟାଧର ପଣ୍ଡା

କରୋନା କଟକଣାରୁ ଅନଲକ୍‌ ହୋଇ ପେଟପାଟଣା ଚିନ୍ତାରେ ମଣିଷ ଘରୁ ଗୋଡକାଢିଲା ବେଳକୁ ରାସ୍ତାରେ ବନ୍ୟା ପାଣି। ପିଲାଛୁଆ ଉପାସରେ ବସିଛନ୍ତି, ଘରେ କିଛି ବୋଲେ କିଛି ନାହିଁ। ପୋଥିରେ ଲେଖାଅଛି, ‘ରୁଆ ଧାନ ଥୁଆ।’ କିନ୍ତୁ ଏ କଳିଯୁଗରେ ସେସବୁ କିଛି ଲାଗୁ ହେଉନାହିଁ। ପ୍ରକୃତି ମାଆର ସବୁ ହିସାବ ଭୁଲ୍‌ଭାଲ୍‌ ହେବାରେ ଲାଗିଛି। ତଳିରୁଆ ହେବାର ସପ୍ତାହେ ଭିତରେ ବନ୍ୟାପାଣି ପଶି ଚାରିପାଞ୍ଚ ଦିନ ସ୍ଥିରରହି ଏବେ ଛାଡିଲାପରେ ନଦୀକୂଳିଆ ତଳମାଳ ବିଲରେ ଧାନତଳି ମୂଳ ଶଢ଼ିଯାଇଛି। ଛତିଶଗଡର ସେ ବସ୍‌ ଟ୍ରକ୍‌ ଗାଡିଧକ୍କା ଦୁର୍ଘଟଣାରେ ଆଠଜଣ ଦାଦନ ଶ୍ରମିକଙ୍କର ପ୍ରାଣଗଲା ପରେ ଆଉ କାହାର ବସ୍‌ଟ୍ରକରେ ଉଠି ଦୂରବାଟ ରାଜ୍ୟ ବାହାରକୁ ଯିବାକୁ ସାହସ କୁଳୋଉନି। ଟ୍ରେନ୍‌ ଚାଲିଲେ ଦେଖିବା ବୋଲି ଭାବି ଚାଷୀ ଘରେ ବସିଛି। ବିଗତ ଚାରିମାସ ଭିତରେ କରୋନା ହାଡଗୋଡ ଚୂନା କରି ଦେଇଛି। ମେରୁଦଣ୍ଡ ନଇଁଥିଲେ ମଧ୍ୟ ଭାଙ୍ଗି ନ ଥିଲା। କରୋନା କଟକଣା ପରେ ବାଟଫିଟିଲେ ପୁଣିଥରେ ଅଣ୍ଟାସଳଖି ଚାଲିବାକୁ ଭରସା ଥିଲା। କିନ୍ତୁ ଅଧିକାଂଶ ସୁକୁସୁକୁ ହେଲା ବେଳକୁ ବେଡିଉପରେ କୋରଡା ମାରିବାକୁ ଆସିଲା ବନ୍ୟା। ଲକ୍ଷଲକ୍ଷ ଲୋକଙ୍କ ଘରେ ପାଣି ପଶିଗଲା। ଲୋକେ ରାସ୍ତାଘାଟ ଓ ଉଚ୍ଚାଜାଗାରେ ପଲିଥିନ୍‌ ତମ୍ବୁଟାଣି ରହିଲେ। ଏବେ ବି ସେମାନଙ୍କ ଭିତରୁ ହଜାର ହଜାର ଲୋକ ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି। ଘରକୁ ଫେରିବାକୁ ଇଚ୍ଛାକଲା ବେଳକୁ ପାଣିପାଗ ବିଭାଗ ଆଉଏକ ଲଘୁଚାପର ସୂଚନା ଦେଉଛି। ତେଣୁ ବନ୍ୟାପ୍ରବଣ ତଳ ଅଞ୍ଚଳରେ ରହିଥିବା ଭିଟାମାଟିକୁ ଫେରିବାକୁ ସାହସ ପାଉନି। ଲୋକଙ୍କୁ ବାତ୍ୟା କି ମହାବାତ୍ୟାରୁ ରକ୍ଷା କରିବାକୁ ଆମ ସରକାରଙ୍କର ପ୍ରଚୁର ଅଭିଜ୍ଞତା ରହିଛି ଏବଂ ସକ୍ଷମ ମଧ୍ୟ। ଏହାକୁ ବିଶ୍ୱ ପ୍ରଶଂସା କରୁଛି, କିନ୍ତୁ ବନ୍ୟା ପାଇଁ ନୁହେଁ। ବନ୍ୟା ଆଶ୍ରୟସ୍ଥଳୀ ଅନେକ ନିର୍ମାଣ ହୋଇଛି ଏବଂ ଆଉରି ଅନେକର ଆବଶ୍ୟକତା ଅଛି। କରୋନା ଆସିଲା ବେଳକୁ ରବି ଫସଲର ଅଭାବୀ ବିକ୍ରି ଏବଂ ଅଦିନବର୍ଷାରେ ହଇରାଣ ହେଉଥିବା କଥା ଗଣମାଧ୍ୟମ ବହୁତ ପ୍ରଚାର କରିଥିଲା। ଏବେ ଖରିଫଧାନର ସମୟରେ ବି ସେଇ ଅନୁରୂପ ଯନ୍ତ୍ରଣା ଦେବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି।
ଏଇ ଗତ ଲଘୁଚାପ ବର୍ଷା ଏବଂ ଉପରମୁଣ୍ଡର ଅତିରିକ୍ତ ଜଳ ପ୍ରବାହ ଦ୍ୱାରା ବୋଙ୍ଗୋପସାଗର କୂଳର ସବୁ ଜିଲାର ଜନସାଧାରଣ ସହ ଚାଷୀମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ଅନେକ ଫସଲ ହାନି ହୋଇଛି। ବିଶେଷକରି କେନ୍ଦ୍ରାପଡା, ଅଉଲ, ରାଜକନିକା, ପଟ୍ଟାମୁଣ୍ଡାଇ, ଡେରାବିଶ, ଗରଦପୁର, ମାର୍ଶାଘାଇ ଆଦି ଅଞ୍ଚଳର ଚାଷୀ ସମ୍ପୂର୍ଣ୍ଣ ଫସଲ ହରେଇ ହତାଶରେ ସରକାରୀ ସାହାଯ୍ୟକୁ ଅନିଷାକରି ମୁଣ୍ଡରେ ହାତଦେଇ ବସିଛି। ନଦୀଗୁଡ଼ିକ ମଧ୍ୟରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ କଡେକଡେ ଯେତେ ଗାଁ ଗଣ୍ଡା ଅଛି ସମସ୍ତେ କିଛି ନା କିଛି ହରେଇଛନ୍ତି, ଦୁଃଖରେ ଅଛନ୍ତି। କରୋନା ମାଡରେ ଭୟଭୀତ ହୋଇ କାଳାତିପାତ କରୁଥିବା ଗରିବଲୋକଙ୍କୁ ସରକାର ନ ଦେଖିଲେ ବନ୍ୟାଦାଉରୁ ବଞ୍ଚିବା ବଡ କଠିନ। ସରକାର ଚାହିଁଲେ ବାତ୍ୟାକୁ ପରାସ୍ତ କରିବା ପାଇଁ ଯେମିତି ସବୁ କାର୍ଯ୍ୟକ୍ରମ କଲେ ସେମିତି ବନ୍ୟା ପାଇଁ ମଧ୍ୟ ସ୍ଥାୟୀ ସୂତ୍ର ବାହାର କରିପାରିବେ। ଓଡିଶା ଏକ ନଦୀବହୁଳ ରାଜ୍ୟ। ବନ୍ୟାକୁ ଆମର ଚିର ସହଚର। ଏଇ ନଦନଦୀ ପାଇଁ ଦିନେ ଆମେ ସୁନାର ଚଢେଇ ବୋଲି ଗର୍ବ କରୁଥିଲେ। ଜଳପଥ ଥିଲା ସହଜସାଧ୍ୟ ଶସ୍ତା ପରିବହନ ମାଧ୍ୟମ। ଆମ ଗାଁ ଘର ମହାନଦୀ ଆରପଟେ। ଏପଟେ କଟକ। ଗାଁରୁ କାଠିଆ ଡଙ୍ଗାରେ ଆସେ ବିରି, କୋଳଥ, ଧାନ, ମୁଗ କଟକ ମାଲ୍‌ଗୋଦାମକୁ ଏବଂ ଫେରିଲା ବେଳେ ଯାଏ ସୁଜି, ଅଟା, ମସଲା, ଲୁଗାପଟା କେତେ ସଉଦା। ସେଦିନ ଆଉ ନାହିଁ। ଏବେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ତେଲ୍‌, ଗେଙ୍ଗୁଟି, କୁଶଭଦ୍ରା, ଚିତ୍ରୋତ୍ପଳା, ଋଷିକୁଲ୍ୟା, ଲୁଣା, କୁଆଖାଇ, କାଠଯୋଡି, ସାଳନ୍ଦି ଆଦି ନଦୀଗୁଡିକର ଦୌରାମତ୍‌ୟ ଅଧିକ। ସାଧାରଣତଃ ଆମ ରାଜ୍ୟର ନଦୀଗୁଡିକ ପଶ୍ଚିମାଞ୍ଚଳରୁ ବାହାରି ବଙ୍ଗୋପସାଗରରେ ମିଶିଛନ୍ତି। ଏଗୁଡ଼ିକ ଭିତରୁ ଅନେକର ଚଉଡା କମ୍‌। ତେଣୁ ସହଜରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବନ୍ୟାପାଣି ମାଡିଯାଉଛି। ଆଜିକାଲି ନଦୀମୁହାଣଗୁଡିକ ପୋତି ହୋଇଯିବାରୁ ଜଳ ନିଷ୍କାସନରେ ମଧ୍ୟ ବାଧା ଆସୁଛି।
ବନ୍ୟା ଦ୍ୱାରା ଯେଉଁ କ୍ଷତିସାଧନ ହୁଏ ତାକୁ ଆକଳନ କରିବା କାଠିକର ପାଠ। ଲକ୍ଷଲକ୍ଷ ଟଙ୍କାର ଫସଲ ଅସମୟରେ ସ୍ବାହା ହୋଇଯାଏ। ଗୃହପାଳିତ ପଶୁ କିଛି ଭାସି ଯାଆନ୍ତି, ଆଉକିଛି ମାଲିକ ଗୋହତ୍ୟା କି ପଶୁହତ୍ୟା ପାପକୁ ଡରି ପଶୁଙ୍କୁ ଖାଦ୍ୟଅଭାବରୁ ପଘାରୁ ଫିଟେଇ ଦିଅନ୍ତି। ବେଳେବେଳେ ଭଲ ଉର୍ବର ଜମି ଉପରେ ବାଲିର ଏକ ଆସ୍ତରଣ ରହିଯାଏ। ଏ ବାଲିଚରରୁ ଚାଷୀ ମୁକ୍ତି ପାଇବାକୁ ହେଲେ ଯେତିକି ଧନବଳ ଦରକାର, କାହା ପାଖରେ ନ ଥାଏ। ବର୍ଷ ବର୍ଷ ଧରି ବିଲ ପଡିଆ ରହେ। ବନ୍ୟା ସମୟରେ ବିଭିନ୍ନ ପ୍ରକାର ରୋଗବ୍ୟାଧି ସହ ସର୍ପାଘାତରେ ଲୋକମାନେ ପ୍ରାଣତ୍ୟାଗ କରିବାର ଉଦାହରଣ ବେଶି ଦେଖାଯାଏ। ବିଶୁଦ୍ଧ ପାନୀୟ ଜଳ ଏବଂ ଶୌଚହେବା ପାଇଁ ଗାଁ ଗଣ୍ଡା ଲୋକମାନେ ଅନେକ ଦହଗଞ୍ଜ ହୁଅନ୍ତି। ବନ୍ୟାଘେରରେ ଜଳବନ୍ଦୀର ଜୀବନ ଏକ ଅସହାୟ ଗାଥା, କେବଳ ଭୁକ୍ତଭୋଗୀ ହିଁ ଜାଣିପାରେ। ତେଣୁ ସରକାରୀ ଅଧିକାରୀଙ୍କ ବନ୍ୟା କ୍ଷତି ଆକଳନ ଠିକ୍‌ , କିନ୍ତୁ ଆଦୌ ଯଥେଷ୍ଟ ନୁହେଁ। ତା’ପରେ ଏମିତି ବି ଦେଖାଯାଏ ରାଜା ଯାହା ଦିଏ ହରଷେ, ପାଉପାଉ ଯାଏ ବରଷେ। ଓଡିଶାର ବନ୍ୟା ସମସ୍ୟା ଏକ ଜାତୀୟ ବିପତ୍ତି। ଜନସାଧାରଣଙ୍କୁ ବନ୍ୟା ଦାଉରୁ ରକ୍ଷାକରିବାକୁ ସରକାର ସ୍ଥାୟୀ ସମାଧାନର ସୂତ୍ର କାଢିବା ଉଚିତ। ବନ୍ୟାବେଳେ ସାଧାରଣ ଲୋକଙ୍କୁ ଅବିଳମ୍ବେ ସାହାଯ୍ୟଦେଇ ବନ୍ୟାପରେ ଚାଷୀଙ୍କୁ ଅତିରିକ୍ତ ବିହନ ଓ ସାର ଆଦି ଯୋଗାଣର ସୁପରିଚାଳନା କରିବା ନିତାନ୍ତ ଆବଶ୍ୟକ। ସବୁବର୍ଷଠାରୁ ଏ ବର୍ଷ କଥା ଅଲଗା। କାରଣ ଲୋକମାନଙ୍କ ଆର୍ଥତ୍କ ଏବଂ ମାନସିକ ଅବସ୍ଥା ଅତିବ ଶୋଚନୀୟ ଥିବାବେଳେ କରୋନା ବେଳେ ଭୋଗିବାକୁ ହେଉଛି ବନ୍ୟାର ଦୁଃଖ।
ଏଲ୍‌-୧୭/୧୫, ପଞ୍ଚସଖା ନଗର, ଭୁବନେଶ୍ୱର
ମୋ- ୯୪୩୯୧୨୮୦୫୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri