କରୋନା ପ୍ରତିରୋଧ ଲାଗି ସ୍କାଉଟ ଗାଇଡ୍‌ ବ୍ରିଗେଡ ଗଠନ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ପକ୍ଷରୁ ସ୍କାଉଟ ଗାଇଡ୍‌ ବ୍ରିଗେଡ ଗଠନ କରାଯାଇଛି। ଏଥିରେ ରାଜ୍ୟର ୨୦ ଜିଲାର ୧୪୦ ସ୍କାଉଟ ମାଷ୍ଟର ଓ ଗାଇଡ୍‌ କ୍ୟାପ୍‌ଟେନ ସାମିଲ ହୋଇଛନ୍ତି। ସେମାନେ ନିଜ ନିଜ ଜିଲାରେ ସଚେତନତା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ ଅନୁଷ୍ଠିତ କର୍ମଶାଳାରେ କିମ୍ସର ଡାକ୍ତର ପ୍ରଣବ କୁମାର ମହାପାତ୍ର, ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡ. କାଳିପ୍ରସାଦ ମିଶ୍ର ଯୋଗଦେଇ ସେମାନଙ୍କୁ ନାନା ପରାମର୍ଶ ଦେଇଥିଲେ। ଏହି ଅବସରରେ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।