କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌

ଗଞ୍ଜାମ,୨।୪(ଡି.ଏନ୍‌.ଏ.): ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ତଥାପି ଲୋକେ ଏହାକୁ ମାନୁ ନାହାନ୍ତି। ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ଫଳରେ ପୋଲିସ ଓ ଏନ୍‌ଏସି ପ୍ରଶାସନର ମିଳିତ ଉଦ୍ୟମରେ ସହରକୁ ସଂଯୋଗ ଥିବା ସମସ୍ତ ରାସ୍ତାକୁ ଗୁରୁବାର ସିଲ୍‌ କରାଯାଇଥିବା ଜଣାପଡ଼ିଛି l ଛତ୍ରପୁର ଆଡୁ ଦାମୋଦର ପୁର ଓ ଭୁବନେଶ୍ୱର ଆଡୁୁ ତ୍ରିବେଣୀ ମଠ ଛକଠାରେ ରସି ଟଣାଯିବା ସହ ପୋଲିସ ବ୍ୟାରିକେଡ ଲଗାଇଛି। ଉଭୟ ରାସ୍ତାରେ ବ୍ୟାପକ ପୋଲିସ ଜଗି ରହିଛନ୍ତି। ଏଥିସହ ମେଡିକାଲ ଗଳି, ଢମଣାସାହି ଗଳି, ବ୍ୟାଙ୍କ ଗଳି, ସାନ ବଜାର ପ୍ରମୁଖ ଗଳିକୁ ସିଲ କରାଯାଇଥିବା ଜଣାପଡ଼ିଛି। ଏହି ରାସ୍ତାଗୁଡ଼ିକରେ ସାଇକେଲ କିମ୍ବା ବାଇକ୍‌କୁ ଛାଡୁନାହାନ୍ତି ପୋଲିସ। କେବଳ ଅତ୍ୟାବଶ୍ୟକ ସମଗ୍ରୀ ନିମନ୍ତେ ଲୋକେ ଚାଲି ଚାଲି ଯାଉଛନ୍ତି।