କରୋନା ନିୟମ କଡ଼ାକଡ଼ି ପାଳନ କର

ଅନୁଗୋଳ ଅଫିସ, ୧୮।୪ – ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ଚଳିତ ଗ୍ରୀଷ୍ମ ସମୟରେ ଜଳକ୍ଳିଷ୍ଟ ଅଞ୍ଚଳ ଚିହ୍ନଟ ସହ ପ୍ରତି ୩ ଦିନରେ ଜଳ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଜିଲାରେ କରୋନା ଭୂତାଣୁ ସଂକ୍ରମଣ ଯେପରି ନ ହୁଏ ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଚଳିତ ନିୟମାବଳୀର କଡ଼ାକଡ଼ି ପାଳନ ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ବୈଠକରେ ଜଳ କ୍ଳିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରିବାକୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ କେନାଲରେ ପାଣି ଛଡ଼ାଯିବା, ବିଦ୍ୟୁତ୍‌ ସରବରାହ ନିରବିଚ୍ଛିନ୍ନ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ଭାବ୍ୟ ଅଂଶୁଘାତକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୀତତାପ ନିୟନ୍ତ୍ରିତ ୮ଟି ଶଯ୍ୟା, ସମସ୍ତ ଚିକିତ୍ସାଳୟରେ ମଧ୍ୟ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖାଯିବା ସହ ଆବଶ୍ୟକ ଓଆର୍‌ଏସ୍‌ ଓ ଜୀବନ ରକ୍ଷାକାରୀ ଔଷଧ ଗଚ୍ଛିତ ଥିବା ସୂଚନା ଦିଆଯାଇଥିଲା। ଗ୍ରାମାଞ୍ଚଳରେ ଜଳଛତ୍ର ଓ ସହରାଞ୍ଚଳରେ ପାନୀୟ ଜଳ କେନ୍ଦ୍ର ସାମାଜିକ ଦୂରତ୍ୱ ବଜାୟ ରଖି ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ୩ ଦିନରେ ଥରେ ପ୍ରବାସୀ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, କାଉନସେଲିଂ କରିବା, ବଦାନ୍ୟ ବ୍ୟକ୍ତି ଓ ସାମାଜିକ କର୍ମୀ ଅନୁଷ୍ଠାନ ଦ୍ୱାରା ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ସହ ବିଭିନ୍ନ ଉପଖଣ୍ଡର ଉପଜିଲାପାଳ, ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।