କରୋନା ଛଡ଼ାଇନେଲା ରଜ ଖୁସି

ଖଜୁରିପଡ଼ା,୧୪ା୬(ଡି.ଏନ.ଏ.)- ଓଡ଼ିଶାର ଗଣପର୍ବ ରଜ ଚଳିତ ବର୍ଷ କରୋନା ଯୋଗୁ ଫିକା ପଡିଛି। ବିଭିନ୍ନ ପ୍ରକାର ପିଠାପଣା ସହ ରଜପାନ ଓ ରଜଦୋଳି ଏହି କୃଷି ଭିତ୍ତିକ ପର୍ବର ମୁଖ୍ୟ ଆକର୍ଷଣ। ଗଁା ଗହଳିରେ ବିଭିନ୍ନ ପ୍ରକାର ଦୋଳି ବାନ୍ଧି ଝୁଲିଥାନ୍ତି ଯୁବତୀ, ମହିଳା ଓ ଛୋଟପିଲା। ବିଭିନ୍ନ ସ୍ଥାନରୁ ଦୋଳିର ତାଳେ ତାଳେ ଭାସି ଆସେ ସୁମଧରୁ ରଜଗୀତ। ମାତ୍ର କରୋନା ଯୋଗୁ ଚଳିତ ବର୍ଷ ତୋଟାମାଳରେ ଆଗପରି ଭିଡ ଦେଖିବାକୁ ମିଳି ନ ଥିଲା। ଖଜୁରିପଡ଼ା ବ୍ଲକର ବିଭିନ୍ନ ତୋଟା ମାଳରେ ଚଳିତ ବର୍ଷ ଆଗପରି ଭିଡ ଜମିନ ଥିଲା। କେତେକ ସ୍ଥାନରେ ଅଳ୍ପ ସଂଖ୍ୟକ ଯୁବତୀ ଦୋଳି ଖେଳୁଥିବା ଦେଖିବାକୁ ମିଳିଥିଲା। କରୋନା ପାଇଁ ସେମାନେ ସାମାଜିକ ଦୂରତା ରକ୍ଷା କରିଥିବାବେଳେ ମାସ୍କ ପିନ୍ଧିଥିଲେ। ଏନେଇ ସେମାନଙ୍କୁ ପଚାରିବାରୁ କହିଥିଲେ, ଚଳିତବର୍ଷ କରୋନା ଛଡେଇ ନେଇଛି ଆମ ରଜଦୋଳି ଓ ଖୁସି। ସାଙ୍ଗମାନଙ୍କୁ ମଧ୍ୟ ଆମଠାରୁ ଅଲଗା କରିଦେଲା। ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଏହି ମହାମାରୀ ଶୀଘ୍ର ଦୂରେଇ ଯାଉ।