କରୋନା ଚିନ୍ତା: ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢ଼ିଲା, ବିଦେଶାଗତ ଯାତ୍ରୀଙ୍କ ସ୍ବାସ୍ଥ୍ୟପରୀକ୍ଷା ବାଧ୍ୟତାମୂଳକ

ଭୁବନେଶ୍ୱର,୩।୩(ବ୍ୟୁରୋ): ଦେଶରେ ଆଉ ତିନି ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ବିମାନବନ୍ଦରରେ ଯାଞ୍ଚ ବଢ଼ାଇବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ଏହି କ୍ରମରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କଟକଣା ବଢ଼ଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଇମିଗ୍ରେସନ ପୂର୍ବରୁ ସମସ୍ତ ଯାତ୍ରୀଙ୍କ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଏଆଇ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ବି.ଭେଙ୍କଟେଶ୍ୱର ରାଓ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଭାରତର ଦିଲ୍ଲୀ, ତେଲଙ୍ଗାନା ଓ ଜୟପୁରରୁ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅତ୍ୟଧିକ ସଯକ୍ରମିତ ଦେଶକୁ ନ ଯିବା ଲାଗି ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷକରି ୨୧ ଟି ବିମାନବନ୍ଦର, ୧୨ଟି ବୃହତ ଓ ୬୫ଟି କ୍ଷୁଦ୍ର ବନ୍ଦରରେ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି। ଅତି ଜରୁରୀ ନ ଥିଲେ ଚାଇନା, ଇରାନ, ଇଟାଲୀ, ଦକ୍ଷିଣ କୋରିଆ, ସିଙ୍ଗାପୁର ଆଦି ଦେଶକୁ ନ ଯିବା ଲାଗି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।