‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ଟ୍ରୋଲ ହୋଇଛନ୍ତି। ଏହି ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତ ଗାଇଥିବାରୁ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଗୀତଟି ଗତ ୭ ତାରିଖରେ ୟୁଟ୍ୟୁବରେ ଅପଲୋଡ୍‌ ହୋଇଥିଲା। ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଏ ଗୀତକୁ କମେଡି ବୋଲି କହିବା ସହିତ ଗୀତର ଲେଖାକୁ ଅତି ସୁନ୍ଦର ବୋଲି କହୁଛନ୍ତି। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ଗୀତକୁ ନେଇ ଅନେକ ବୁଦ୍ଧିଜୀବୀ ଓ ସୋସିଆଲ ମିଡିଆ ୟୁଜର୍ସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ହ୍ୟୁମାନ ସାଗରଙ୍କ ଏହି ଗୀତ ସମାଜ ପାଇଁ ଏକ ଅପମାନ କହିବା ସହିତ ତାଙ୍କର ଟିମକୁ ସେ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ସୋମବାର କଣ୍ଠଶିଳ୍ପୀଙ୍କ ନାଁରେ କଟକ ମହିଳା ଥାନାରେ ଏତଲା ଦିଆଯାଇଛି। ଉକ୍ତ ଗୀତରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରି ସାମାଜିକ କର୍ମୀ ସସ୍ମିତା ଦାସ ଏହି ଅଭିଯୋଗ କରିଛନ୍ତି। ଏତଲା ଦିଆଯିବା ସମୟରେ ପୁଷ୍ପାଞ୍ଜଳି ଦାସ, ଦୀପକ ସାମନ୍ତରାୟ, ପ୍ରଣବ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।