କରୋନା କବଳରେ ରାଜ୍ୟର ୨୨ ଜିଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୯୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨୮ ହୋଇଛି। ସେହିଭଳି ଆଉ ୨ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏହାବ୍ୟତିତ ପ୍ରଥମ ଥର ଲାଗି ସମ୍ବଲପୁରକୁ ଛୁଇଁଛି କରୋନା। ଫଳରେ କରୋନା ସଂକ୍ରମିତ ଜିଲା ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ପୂର୍ବରୁ ଗଞ୍ଜାମ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ପୁରୀ, ଅନୁଗୋଳ, ମୟୂରଭଞ୍ଜ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା, ଦେଓଗଡ଼, ବଲାଙ୍ଗୀର, କୋରାପୁଟ ଏବଂ ଢେଙ୍କାନାଳରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ।